ଲୋକସଭାରେ ପାରିତ ହେଲା ବହୁପ୍ରତିକ୍ଷୀତ ଟ୍ରିପଲ ତଲାକ ବିଲ୍ । ସପକ୍ଷରେ ପଡ଼ିଲା ୩୦୩ ଭୋଟ୍  ।

1,587
କନକ ବ୍ୟୁରୋ: ଲୋକସଭାରେ ପାସ୍ ହେଲା ତିନି ତଲାକ ବିଲ୍  । ଦିନ ସାରା ଚର୍ଚ୍ଚା ଚାଲିବା ପରେ ଶେଷରେ ପାସ୍ ହୋଇଛି ବିଲ୍ । ବିତର୍କ ପରେ ହୋଇଥିିବା ଭୋଟରେ ବିଲ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଭୋଟ୍ ପଡିଛି । ତେବେ ଭୋଟିଂରେ ଭାଗ ନେଇନାହାଁନ୍ତି ଟିଏମସି ସାଂସଦ । ଆଜି ଲୋକସଭାରେ ଏହି ବିଲକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥାପନ କରି କହିଥିଲେ ତିନି ତଲାକ ବିଲ୍ ଆଗତ ହେବା ଦ୍ୱାରା ମୁସଲମାନ ମହିଳାଙ୍କୁ ନ୍ୟାୟ ମିଳିବ ।  ସୁପ୍ରିମକୋର୍ଟ ବି ଏ ନେଇ ଆଇନ ତିଆରି କରିବାକୁ କହିଛନ୍ତି । ମହିଳାଙ୍କୁ ନ୍ୟାୟ ଦେବା ସରକାରଙ୍କ ପ୍ରାଥମିକତା । ତେବେ ବିଲ୍ ପାରିତ ପାଇଁ ଭୋଟିଂ ଚାଲିଥିବାବେଳେ ଏହାକୁ ବିରୋଧ କରି ଟିଏମସି ସଂସଦରୁ ପଳାଇ ଆସିଥିଲେ ।  ଅପରପକ୍ଷେ ମୁସଲମାନ ମହିଳାଙ୍କ ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ଉଚିତ୍ ସମ୍ମାନ ଦେବା ହିତରେ ଥିବା ଏହି ବିଲକୁ ବିଜେଡି ସମର୍ଥନ ଜଣାଇଛି ।
ଅନ୍ୟପଟେ ଏହି ବିଲକୁ କଂଗ୍ରେସ, ଆରଜେଡି, ଏଆଇଏମଏମ ଓ ଏନସିପି ବିରୋଧ କରିଛି । ବିରୋଧୀ କହିଛନ୍ତି ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ଆଇନ ଥିବାବେଳେ ତିନି ତଲାକ ପରି ଆଉ ଏକ ଆଇନ ଆଣିବାର କଣ ଆବଶ୍ୟକତା ରହିଛି । ଏହାକୁ ନେଇ ଲୋକସଭାରେ ମୁହଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳର ସଦସ୍ୟ । ତେବେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍ ଆରାମରେ ପାସ୍ ହୋଇଯାଇଛି । ଏବେ ଏହି ବିଲ୍ ରାଜ୍ୟସଭାରେ ପାରିତ ହେବା ପାଇଁ ଯିବ । ରାଜ୍ୟ ସଭାରେ ପାସ୍ ହୋଇଗଲେ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରି ପାଇଁ ପଠାଯିବ । ତାପରେ ଏହା ଆଇନରେ ପରିଣତ ହେବ ।
ଅନ୍ୟପଟେ ବର୍ତମାନ ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ନଥିବାରୁ ଏହାକୁ ପାସ୍ କରିବା ପାଇଁ ଆଂଚଳିକ ଦଳମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଏହି ବିଲରେ ତିନ୍ ତଲାକକୁ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇ ଅଭିଯୁକ୍ତକୁ ୩ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଓ ଜୋରିମାନା କରାଯିବାର ପ୍ରାବଧାନ ରହିଛି । ଯାହାକୁ ବିରୋଧୀ ବିରୋଧ କରି ଆସୁଛନ୍ତି ।
ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା । ହେଲେ ରାଜ୍ୟସଭାରେ ଅଟକି ରହିଥିଲା । ଏଥର ମୋଦି ସରକାର ଏହି ବିଲ୍ ଯେପରି ପାରିତ ହୋଇ ଆଇନରେ ପରିଣତ ହେଉ ବୋଲି ଉଦ୍ୟମ କରିଛନ୍ତି । ଗତଥର ରାଜ୍ୟସଭାରେ ଅଳ୍ପମତ କାରଣରୁ ଏହି ବିଲ୍ ପାରିତ ହୋଇପାରିନଥିଲା । ବିରୋଧୀ ଏହି ବିଲକୁ ପୁଣି ଥରେ ସିଲେକ୍ଟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ । ପୂର୍ବରୁ ମଧ୍ୟ କଂଗ୍ରେସ ସାଂସଦ ଶଶୀ ଥରରୁ ଏହି ବିଲ୍ ମୁସଲିମ୍ ମହିଳାଙ୍କୁ କୌଣସି ଲାଭ ଦେବନି ବୋଲି ମତ ଦେଇଥିଲେ । ଓୱସୀ ଏହାକୁ ମୁସଲିମ୍ ପୁରୁଷଙ୍କ ବିରୋଧୀ ବୋଲି କହିଥିଲେ । ହିନ୍ଦୁ ବିବାହ ଆଇନରେ କୌଣସି ପୁରୁଷ ସ୍ତ୍ରୀକୁ ଛାଡପତ୍ର ଦେଇଦେଲେ ଗୋଟିଏ ବର୍ଷ ସଜା ଥିବା ବେଳେ ଟ୍ରିପିଲ ତଲାକରେ ମୁସଲିମ୍ ପୁରୁଷଙ୍କ ପାଇଁ ୩ ବର୍ଷର ସଜା କାହିଁକି ରଖାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ ।