ଓଡ଼ିଶାର ଦୁଇ କୁନି ପ୍ରତିଭା ସ୍ୱୟଂ ଓ ସମ୍ପୂର୍ଣ୍ଣା । ଶତାଧିକ ପ୍ରଶ୍ନର ଉତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଲା ଦୁଇ ବର୍ଷର କୁନି ଝିଅ ସମ୍ପୁର୍ଣ୍ଣା, ୩୭ ସେକେଣ୍ଡରେ ୯ଫୁଟର ଖମ୍ବ ଚଢି ସଫଳତା ଆଣିଲେ ସ୍ୱୟଂ ।

453

କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳରେ ବିକଶିତ ଓ ପ୍ରସ୍ଫୁଟିତ ପ୍ରତିଭା । ଶିକ୍ଷା ଯେଉଁଠି ଅପହଂଚ ସେଇଠି ୨ ବର୍ଷର କୁନି ଝିଅ ଜ୍ଞାନର ଗନ୍ତାଘର । କୁନି ଓଠରେ ରୋକଠୋକ୍ ଦେଉଛି ସବୁ ପ୍ରଶ୍ନର ଉତର । ବିଭିନ୍ନ ପ୍ରକାର ଫୁଲ, ଫଳ, ପଶୁପକ୍ଷୀଙ୍କ ନାମ, ସେମାନେ କରୁଥିବା ଶବ୍ଦ, ଜାତୀୟ ପଶୁପକ୍ଷୀ, ଏମିତି କେତେ କଣ ପ୍ରଶ୍ନର ଉତର ଦେଇ ସର୍ବଭାରତୀୟ ପୁରସ୍କାର ଜିତିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଳିପାଟଣା ସ୍ଥିତ ବିସ୍ମୟ ଶିଶୁ କନ୍ୟା ସଂପୂର୍ଣା ଗନ୍ତାୟତ । ସେହିଭଳି ଆଉ ଜଣେ ପ୍ରତିଭା ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ସ୍ୱୟଂଶିବ । ୪ ବର୍ଷର ପୁଅ ଷ୍ଟିଲ ଖମ୍ବ ଚଢି ଇଣ୍ଡିଆ ବୁକ ଅଫ୍ ରେକର୍ଡ କରି ସ୍ଥାନ ପକ୍କା କରିଛନ୍ତି ।

ବୟସ ମାତ୍ର ୨ ବର୍ଷ । ପାଟି ଭଲ କରି ଖୋଲି ନାହିଁ । କୁନି ବୟସରେ ବଡ ପ୍ରତିଭାର ଅଧିକାରୀ ଏଇ କୁନି ଝିଅ । ମାଆଙ୍କ ଆଗରେ ବସ୍ତୁ, ରଙ୍ଗ, ଆକାର, ଜୀବଜନ୍ତୁ, ପଶୁପକ୍ଷୀ, ସେମାନଙ୍କ ଶବ୍ଦ, ଫୁଲ, ଫଳ ଓ ଭଜନ, ବିପରୀତ ଶବ୍ଦ, ଗୀତ ନିର୍ଭୁଲ ଭାବରେ ଗାଉଥିବା କୁନି ଝିଅ ସଂପୂର୍ଣା ଗନ୍ତାୟତ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୪୬ଟି ପଶୁଙ୍କ ନାମ, ୨୦ଟି ପକ୍ଷୀ, ୧୮ଟି ପନିପରିବା, ୧୮ ଟି ଫୁଲ, ୧୭ଟି ଫଳ, ୧୧ଟି ରଙ୍ଗ, ୧୧ଟି ଆକାର, ୬ଟି କୀଟପତଙ୍ଗ, ୮ଟି ଖାଦ୍ୟ ପଦାର୍ଥର ନାମ କହି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

ସଂପୂର୍ଣ୍ଣାଙ୍କ ସ୍ମରଣ ଶକ୍ତି ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ଗତ ଜୁନ୍ ୧୦ ତାରିଖରେ ବାପା ସମୀର ଆବେଦନ କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ପକ୍ଷରୁ ଭିଡିଓ କଲ ମାଧ୍ୟମରେ ଶିଶୁଟିକୁ ପ୍ରଶ୍ନ ପଚରା ଯାଇଥିଲା । ଏବଂ ସେ ସମସ୍ତ ପ୍ରଶ୍ନର ସଠିକ ଉତର ଦେଇ ରେକର୍ଡ କରିଛନ୍ତି । ସଂପୂର୍ଣ୍ଣାଙ୍କ ସଫଳତା ସମ୍ୱନ୍ଧୀୟ ସମସ୍ତ କାଗଜପତ୍ର ଡାକ ମାଧ୍ୟମରେ ଘରେ ପହଂଚିବା ପରେ ଘରେ ଖୁସି କହିଲେ ନସରେ ।

ସେହିଭଳି ଆଉ ଜଣେ ପ୍ରତିଭା ସଂପନ୍ନ କୁନି ପୁଅ ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିଲିଗୁଡା ଗାଁର ସ୍ୱୟଂଶିବ ଯୋଶୀ । ମାତ୍ର ୪ ବର୍ଷ ବୟସର ସ୍ୱୟଂ ୩୭ ସେକେଣ୍ଡରେ ୯ ଫୁଟର ୩ଟି ଷ୍ଟିଲ ଖୁମ୍ବ ଚଢି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାଁ ସାମିଲ କରିଛନ୍ତି । ପୁଅର ସଫଳତାକୁ ନେଇ ଖୁସି ଅଛନ୍ତି ବାପା ସମୀର ଓ ମାଆ ସାଗରିକା ।