ଟିଣ୍ଡର ଆଫ ସସପେନ୍ସ: ଅନଲାଇନ ଡେଟିଂ ସାଇଟ ଠକେଇ ଘଟଣାରେ ବଢୁଛି ଦ୍ୱନ୍ଦ୍ୱ । କିଏ କହୁଛି ସତ ? କିଏ କହୁଛି ମିଛ ? ଉଭୟ ପକ୍ଷର ଅଭିଯୋଗ ଆଧାରରେ ମାମଲା କଲା ପୋଲିସ

268

କନକ ବ୍ୟୁରୋ: ଟିଣ୍ଡର ଡେଟିଂ ଆପ୍ । ସୋସିଆଲ୍ ମିଡିଆର ଏହା ଏପରି ଏକ ଆପ୍ଲିକେସନ୍ ଯେଉଁଠି ଚାଟିଂ, ଡେଟିଂ କରନ୍ତି ଯୁବକ-ଯୁବତୀ । ତେବେ ଏବେ ଏହା ପାଲଟିଛି ବ୍ଲାକ୍ ମେଲିଂର ବଡ଼ ମାଧ୍ୟମ । ଏମିତି ଏକ ମାମଲା ଏବେ କମିସନରେଟ୍ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜଣେ ଯୁବତୀଙ୍କ ବିରୋଧରେ ଜଣେ ଯୁବକ ଅଭିଯୋଗ କରିଛନ୍ତି, ତାଙ୍କୁ ଅପହରଣ କରାଯାଇ, ନିର୍ଯାତନା ଦିଆଯାଇଛି । ତାଙ୍କୁ ଟଙ୍କା ନେଇଛନ୍ତି ଯୁବତୀ । ସେପଟେ ଯୁବତୀ ଅଭିଯୋଗ ଆଣିଛନ୍ତି, ତାଙ୍କୁ ନିଶା ନେଇ ଦୁଷ୍କର୍ମ କରାଯାଇଛି । ଦୁହିଁଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ଟି ମାମଲା ରୁଜୁ କରିଛି ।

ବ୍ୟାଙ୍କ ମ୍ୟାନେଜର ସୁନିଲ ମିଶ୍ର । ତାଙ୍କର ଅଭିଯୋଗ ହେଉଛି ଟିଣ୍ଡର ଆପରେ ସଂପର୍କ ସୃଷ୍ଟି ହୋଇଥିବା ଜଣେ ଯୁବତୀ ଓ ତାଙ୍କ ଗ୍ୟାଙ୍ଗ ତାଙ୍କୁ ଅପହରଣ କରି ନେଇ ଗୁଗୁଲ ପେ’ରେ ୧୦ ହଜାର ଟଙ୍କା ନେଇଥିଲେ । ମାଡ଼ ମାରିବା ସହ ତାଙ୍କ ଡେବିଟ୍ କାର୍ଡ ନେଇ ସପିଂ କରିବା ମଧ୍ୟ ସେ ଅଭିଯୋଗ କରିଥିଲେ । ପୂରା ଘଟଣା ଜାଣିବା ପାଇଁ ଅପହୃତ ବ୍ୟାଙ୍କ ମ୍ୟାନେଜର ସୁନିଲ ମିଶ୍ରଙ୍କୁ ଘଟଣାସ୍ଥଳକୁ ନେଇ ତନାଘନା ଚଳାଇଛି ପୁଲିସ । ଅପହରଣ ପରେ, ଯେଉଁ ଘର ଭିତରେ ୨୪ ଘଂଟା କାଳ ବନ୍ଦ କରି ରଖାଯାଇଥିଲା ସେହି ଘରକୁ ଯାଇ ତନାଘନା କରିଛି ପୁଲିସ । କେତେ ଜଣ ଯୁବକ, କେମିତି ଅପହରଣ କଲେ କିଏ ଅପହୃତଙ୍କ ପରିବାରକୁ କେତେ ଟଙ୍କା ମାଗିଲେ, ମାମଲା ରଫାଦଫା ପାଇଁ ପରିବାରକୁ କିଏ ଧମକ ଦେଇଥିଲା ଏବଂ କିଏ ଏହି ଗ୍ୟାଙ୍ଗ ତିଆରି କରିଥିଲା ସେସବୁ ତଥ୍ୟ ସ୍ପଟ୍ ଭେରିଫିକେସନ ବେଳେ, ସାମନାକୁ ଆସିଛି ।

ଗୋଟିଏ ପଟେ ସୁନିଲଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପହରଣ – ଦଫା ୩୬୫, ହତ୍ୟା ଧମକ – ୫୦୬, ଠକେଇ – ଦଫା ୪୨୦, ଚୋରି – ୩୭୯ ଏବଂ ଏକାଧିକ ଅପରାଧୀଙ୍କ ସଂପୃକ୍ତି – ଦଫା ୩୪ରେ ମାମଲା ରୁଜୁ କରିଛି ପୁଲିସ । ସେହିପରି ଯୁବତୀଙ୍କ ଅଭିଯୋଗକୁ ଭିତିକରି ଥଣ୍ଡା ପାନୀୟରେ ନିଶା ଦେବା – ଦଫା ୩୨୮ ଏବଂ ଦୁଷ୍କର୍ମ – ଦଫା ୩୭୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସୁନିଲ କରିଥିବା ଅଭିଯୋଗ ଅନୁଯାଇ ଯଥେଷ୍ଟପ୍ରମାଣ ପୁଲିସ ହାତେଇଛି । ହେଲେ ଯୁବତୀଙ୍କ ଅଭିଯୋଗ ସଂପର୍କରେ ପୁଲିସକୁ ସେଭଳି କୌଣସି ପ୍ରମାଣ ମିଳି ପାରିନି । ତେବେ ଏହି ଘଟଣାରେ ବହୁ ବରିଷ୍ଠ ଅଧିକାରୀ ମାନେ ଉଭୟଙ୍କୁ ପଚରା ଉଚରା କରିଛନ୍ତି । ତେବେ କିଏ କହୁଛି ସତ, କିଏ ମିଛ କହି ପୋଲିସକୁ ବାଟବଣା କରିବାକୁ ଉଦ୍ୟମ କରୁଛି, ତାହା ପରଖିବା ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି ।