ଟିଣ୍ଡର ଆପରେ ସୃଷ୍ଟି ହୋଇଥିଲା ସମ୍ପର୍କ । ପରେ ଆସିଲା ଦୁଷ୍କର୍ମ ଓ ଅପହରଣର ଅଭିଯୋଗ, ୫ ଜଣଙ୍କୁ ଗିରଫ କଲା କମିସନରେଟ୍ ପୋଲିସ ।

682

କନକ ବ୍ୟୁରୋ : ଟିଣ୍ଡର ପ୍ରେମ କାହାଣୀ ଉପରୁ ପରଦା ହଟାଇଛି ପୋଲିସ । ତିନି ଦିନ ଧରି ପୋଲିସକୁ ଭୁଆଁ ବୁଲାଇ ଆସୁଥିବା ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଏବଂ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଏମିତି କି ଯୁବତୀଙ୍କୁ ସହଯୋଗ କରିଥିବା ୩ ସହଯୋଗୀଙ୍କୁ ବି ବାନ୍ଧିଛି ପୁଲିସ୍ । ଆଉ ଏମାନଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା ।

ଟିଣ୍ଡର ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ । କାମ କଲାନି ଭିକ୍ଟିମ୍ କାର୍ଡ, ବନ୍ଧା ହେଲେ ଉଭୟ ପକ୍ଷ । ଟିଣ୍ଡର ଆପରେ ଚାଟିଙ୍ଗ, ଡେଟିଙ୍ଗ ଆଉ ବ୍ଲାକମେଲିଙ୍ଗ ଘଟଣାର ତଦନ୍ତ କରି ହରଡଘଣାରେ ପଡ଼ିଥିବା ପୁଲିସ୍, ଏବେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ବ୍ଲାକମେଲିଂ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବ୍ୟାଙ୍କ ମ୍ୟାନେଜରକୁ ଗିରଫ କରି ତଦନ୍ତ ଶେଷ କରିଛି ପୁଲିସ୍ । ଅନ୍ୟପଟେ ଯୁବତୀ ଖେଳୁଥିବା ଭିକ୍ଟିମ୍ କାର୍ଡ, ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଯୁବତୀଙ୍କ ସହ ୩ ପୁରୁଷ ସହଯୋଗୀଙ୍କୁ ବି ପୋଲିସ ଗିରଫ କରିଛି । ତେବେ ଏହି ମାମଲାରେ ଦୁଇପକ୍ଷ ହିଁ ଅଭିଯୁକ୍ତ ବୋଲି ପୋଲିସ ପ୍ରମାଣ ପାଇବା ପରେ ସ୍ପଷ୍ଟ କରିଛି । ତେବେ ଶୁଣିନିଅନ୍ତୁ, କ’ଣ କହି ପୋଲିସକୁ ବାଟବଣା କରିବା ପାଇଁ ଉଦ୍ୟମ କରୁଥିଲେ ଉଭୟ ପକ୍ଷ ।

ହେଲେ କାମ ଦେଲାନି ଚାଲାକି । ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଥଣ୍ଡା ପାନୀୟରେ ନିଶା ଦେବା ଦଫା ୩୨୮ ଏବଂ ଦୁଷ୍କର୍ମର ଦଫା ୩୭୬ରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଯୁବତୀଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଦଫା ୧୨୦-ବି, ଯୁବକଙ୍କୁ ଅପହରଣ କରିନେବା ଦଫା ୩୬୫, ଠକେଇ ଦଫା ୪୨୦, ହତ୍ୟା ଧମକ ଦେବା ୫୦୬, ଚୋରି କରିବା ୩୭୯ ଏବଂ ଏକାଧିକଙ୍କ ସଂପୃକ୍ତି ଦଫା ୩୪ରେ ମାମଲା ରୁଜୁ କରିଛି କମିଶନରେଟ୍ ପୁଲିସ୍ ।

ଟିଣ୍ଡର ଆପରେ ପ୍ରଥମେ ଚାଟିଂ, ପରେ ଡେଟିଂ ଆଉ ଏହା ପରେ ବ୍ଲାକମେଲିଂ । ସବୁଠୁ ବଡ଼ କଥା ହେଲା ଉଭୟ ପକ୍ଷରୁ ଭୁଲ ଥାଇ ପୁଲିସକୁ ତଦନ୍ତରେ ବାଟବଣା କରିବାର କାହାଣୀ ଦୁଇ ଚରିତ୍ରଙ୍କୁ ମହଙ୍ଗା ପଡ଼ିଛି । ପୁରା ନାଟକୀୟ ଢଙ୍ଗରେ ୩ ଦିନ ଧରି ଚାଲିଥିବା ତଦନ୍ତ, ପୁରା ଘଟଣା ଉପରୁ ପରଦା ହଟାଇଛି ।