ଦିଲ୍ଲୀରେ ପୁଣି ହେବ କେଜ୍ରିୱାଲଙ୍କ ସରକାର ? ଟାଇମ୍ସ ନାଓ ସର୍ଭେରେ ଆପକୁ ବହୁମତ ମିଳିବା ଆଶା । ୧୦ରୁ ୧୪ ଆସନ ପାଇପାରେ ବିଜେପି, କଂଗ୍ରେସକୁ ମିଳିପାରେ ୨ଟି ଆସନ ।

595

କନକ ବ୍ୟୁରୋ : ଦିଲ୍ଲୀରେ ପୁଣିଥରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଗଠନ ହୋଇପାରେ ସରକାର । ଟାଇମ୍ସ ନାଓ ଆଇପିଏସଓଏସ ସର୍ଭେ ଅନୁଯାୟୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବେଶ ଦବଦବା ରହିଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପକୁ ୫୪ରୁ ୬୦ଟି ଆସନ ମିଳିପାରେ । ଅପରପକ୍ଷରେ ବିଜେପିକୁ ୧୦ରୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିବ । ତେବେ କଂଗ୍ରେସକୁ କେବଳ ୨ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟାଇମ୍ସ ନାଓର ସର୍ଭେ ଅନୁଯାୟୀ ଯଦି ଦିଲ୍ଲୀରେ ଏବେ ଲୋକସଭା ନିର୍ବାଚନ ହୁଏ ତେବେ ୭ଟି ଯାକ ଆସନରେ ବିଜୟୀ ହେବ ବିଜେପି ।

ଟାଇମ୍ସ ନାଓ ସର୍ଭେ ଅନୁଯାୟୀ ଆପକୁ ୫୨ପ୍ରତିଶତ ଓ ବିଜେପିକୁ ୩୪ପ୍ରତିଶତ ଭୋଟ୍ ମିଳିବାର ଆକଳନ କରାଯାଇଛି । ଭୋଟ୍ ପ୍ରତିଶତ ଅନୁଯାୟୀ ଆପକୁ ୬୦ଟି ଆସନ ମିଳିପାରେ । ୨୦୧୫ ନିର୍ବାଚନ ଅନୁଯାୟୀ ଆପର ୨.୫ ପ୍ରତିଶତ ଭୋଟ କମ୍ ହୋଇଥିବା ବେଳେ ବିଜେପିକୁ ୧.୭ ପ୍ରତିଶତ କମ୍ ଭୋଟ ମିଳିବାର ଅନୁମାନ କରାଯାଇଛି ।

ଟାଇମ୍ସ ନାଓ ସର୍ଭେ ଅନୁଯାୟୀ ଏବେ ଦିଲ୍ଲୀରେ ଲୋକସଭା ନିର୍ବାଚନ ହେଲେ ବିଜେପିକୁ ୪୬ ପ୍ରତିଶତ ଏବଂ ଆପକୁ ୩୮ପ୍ରତିଶତ ଭୋଟ ମିଳିପାରେ । ଅପରପକ୍ଷରେ ଏହି ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦି ପାଲଟିଛନ୍ତି ପ୍ରଥମ ପସନ୍ଦ । ୭୫ ପ୍ରତିଶତ ଭୋଟ୍ ସହ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ ପାଲଟିଥିବା ବେଳେ ୮ପ୍ରତିଶତ ଭୋଟ ସହ ଦ୍ୱିତୀୟରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ତେବେ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ପଚରା ଯାଇଥିବା ବେଳେ ୭୧ପ୍ରତିଶତ ଲୋକଙ୍କ ଅନୁଯାୟୀ କେନ୍ଦ୍ର ସରକାର ଉଚିତ ନିଷ୍ପତି ନେଇଛନ୍ତି । ଅପରପକ୍ଷରେ ୫୨ପ୍ରତିଶତ ଲୋକ ସାହିନବାଗ ଧାରଣା ବିରୋଧରେ ଥିବା ବେଳେ ୨୫ପ୍ରତିଶତ ଲୋକ ଏହାକୁ ସମର୍ଥନ ଜଣାଇଛନ୍ତି ।

ଟାଇମ୍ସ ନାଓ ଆଇପିଏସଓଏସ ପୋଲ ପାଇଁ ୭ହଜାର ୩୨୧ଜଣଙ୍କ ମତ ଲୋଡାଯାଇଥିଲା । ଦିଲ୍ଲୀର ଭିନ୍ନ ଭିନ୍ନ ଅଂଚଳରେ ଜାନୁୟାରୀ ୨୭ରୁ ଫେବ୍ରୁୟାରୀ ୧ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।