ଗୋବିନ୍ଦଙ୍କ ବିରୋଧରେ ଲାଗିଥିଲା ଆଇପିସିର ୩୬୬ ଧାରା : ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ

ତଥାପି, କାହିଁକି କୋର୍ଟ ଚାଲଣ କରିନଥିଲା ପୋଲିସ ଉଠିଲା ପ୍ରଶ୍ନ

165

କନକ ବ୍ୟୁରୋ :କଳାହାଣ୍ଡି ଘରୋଇ ସ୍କୁଲ ମମିତା ମେହେର ନିଖୋଜ ମାମଲା ଅଧିକ ଅଧିକ ରହସ୍ୟମୟ ହେବାରେ ଲାଗିଛି । ସେ ଏବେ କେଉଁଠି, ଜୀବିତ ନାଁ ମୃତ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଅନ୍ୟପଟେ ସାମନାକୁ ଅଡିଓ ଟେପ୍ ଆସିବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ମାଲିକାନାରେ ଥିବା କଲେଜ ପ୍ରିନ୍ସପାଲଙ୍କୁ ପଚରାଉଚୁରା କରୁଛି ପୋଲିସ । ଅଡିଓରେ କୁହାଯାଉଥିବା ସିକ୍ରେଟ ଚାମ୍ବର ସତ କଣ ସେ ନେଇ ପଚରାଉଚୁରା କରିଥିବା ସୂଚନା ମିଳିଛି । ମାଲିକ ଗୋବିନ୍ଦ ସାହୁ ଫେରାର ଥିବା ବେଳେ ଛାନଭିନ ଜାରି ରଖିଛନ୍ତି କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ।

ଗୋବିନ୍ଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଇପିସି ୩୬୬ ଧାରାରେ ରୁଜୁ ହୋଇଥିଲା ମାମଲା । ଏଥିରେ ୧୦ ବର୍ଷର ଜେଲ ଦଣ୍ଡାଦେଶ ଥିବାରୁ ଥାନାରୁ ନୋଟିସ୍ ଦେଇ ଛାଡିପାରିବ ନାହିଁ ପୁଲିସ । ତେଣୁ କେଉଁ କାରଣରୁ ୧୪ ତାରିଖଠାରୁ ରବିବାର ରାତି ପର୍ଯ୍ୟନ୍ତ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ପୋଲିସ ? ତାଙ୍କୁ କାହିଁକି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିନଥିଲା ପୁଲିସ ? ରାତିରେ ବାରାକରେ ଏତେ ପୋଲିସ କର୍ମଚାରୀ ଥାଇ କେମିତି ଚକମା ଦେଇ ଫେରାର ମାରିଲା ମୁଖ୍ୟ ଅଭିଯୁକ୍ତ ? ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତାକୁ ନେଇ ବିରୋଧୀ ନାନା ଅଭିଯୋଗ ଉଠାଉଛନ୍ତି । ତେଣୁ କାହା ଇଶାରାରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିନଥିଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।