ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁନାହାନ୍ତି କି ଅଷ୍ଟ୍ରେଲିଆ କ୍ରିକେଟର? ଜାଣନ୍ତୁ କଣ କହିଲେ ଅଷ୍ଟ୍ରେଲିଆ ଅଧିନାୟକ ।

261

କନକ ବ୍ୟୁରୋ : ପାକିସ୍ତାନରେ ସିରିଜ ଖେଳିବାକୁ ଘୋଷଣା କରିଛି ଅଷ୍ଟ୍ରେଲିଆ । ୨୦୨୨ରେ ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ । ଆଉ ଏହି ଘୋଷଣା ପରେ କିଛି ପାକିସ୍ତାନୀ ପ୍ରଂଶସକ ଉତ୍ସାହିତ ହୋଇପଡିଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ସିରିଜ ବାବଦରେ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ପୁଣିଥରେ ଏହି ଗସ୍ତ ଉପରେ ସଙ୍କଟର କଳାବାଦଲ ଘୂରି ବୁଲୁଛି । ଅଷ୍ଟ୍ରେଲିଆ ଟିମର ଅ ଅଧିନାୟକ ଟିମ୍ ପାଇନଙ୍କ କହିବା ଅନୁଯାୟୀ, କିଛି ଖେଳାଳୀ ଏହି ଗସ୍ତକୁ ନେଇ ସଂଶୟ ବା ଦ୍ୱନ୍ଦ୍ୱରେ ରହିଛନ୍ତି ।

ଟିମ୍ ପାଇନ କହିଛନ୍ତି, ଦଳରେ ଏମିତି କିଛି ଖେଳାଳୀ ଅଛନ୍ତି ଯେଉଁମାନେ ଏବେ ବି ବିଶେଷଜ୍ଞଙ୍କ ପରାମର୍ଶ ନେବା ପାଇଁ ଚାହୁଁଛନ୍ତି, ଅନ୍ୟ କିଛି ଖେଳାଳୀ ଗସ୍ତକୁ ନେଇ ବିଚାର କରୁଛନ୍ତି । ଅଥାର୍ତ ପାକିସ୍ତାନ ଗସ୍ତକୁ ନେଇ ଅନେକ ଖେଳାଳୀ ଅସହଜ ମନେ କରୁଛନ୍ତି । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଶେଷ ମୁହୂର୍ତ୍ତରେ ପାକିସ୍ତାନରୁ ଫେରି ଆସିଥିଲା । ସୁରକ୍ଷା କାରଣରୁ ଏପରି କରାଯାଇଥିବା ନେଇ ନ୍ୟୁଜିଲାଣ୍ଡ ପକ୍ଷରୁ କୁହାଯାଇଥିଲା । ସେହିଭଳି ଇଂଲଣ୍ଡ ମଧ୍ୟ ଗସ୍ତ ବାତିଲ କରି ପାକିସ୍ତାନକୁ ବଡ ଝଟକା ଦେଇଥିଲା ।

ପାକିସ୍ତାନ ବିପକ୍ଷରେ ସିରିଜ ଖେଳିବାକୁ ଘୋଷଣା କରି ଅଷ୍ଟ୍ରେଲିଆ ସମସ୍ତଙ୍କୁ ଚକିତ କରିଥିଲା । ପାଖାପାଖି ୨୪ ବର୍ଷ ପରେ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ପାକିସ୍ତାନ ଯିବ ଅଷ୍ଟ୍ରେଲିଆ । ୧୯୯୮ରେ ଶେଷଥର ପାଇଁ ଦ୍ୱିପାକ୍ଷିକ ସିରିଜ ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା ଅଷ୍ଟ୍ରେଲିଆ । ସବୁଠୁ ବଡ କଥା ହେଉଛି, ପାକିସ୍ତାନ ଗସ୍ତରେ ମ୍ୟାକ୍ସୱେଲ ଦଳରେ ସାମିଲ ନ ହୋଇପାରନ୍ତି । କାରଣ ଯେଉଁ ସମୟରେ ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ଯିବ ସେହି ସମୟରେ ମ୍ୟାକ୍ସୱେଲଙ୍କ ବାହାଘର ହୋଇପାରେ । ବିନି ରମଣଙ୍କ ସହ ମ୍ୟାକ୍ସୱେଲଙ୍କର ବିବାହ ହେବାକୁ ଯାଉଛି । କରୋନା କାରଣରୁ ବାରମ୍ବାର ମ୍ୟାକ୍ସୱେଲଙ୍କ ବାହାଘର ଘୁଞ୍ଚି ଘୁଞ୍ଚି ଯାଉଛି ।