ଇଂଲଣ୍ଡ ସହ ଆସେସ୍ ସିରିଜ୍ ପୂୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ଟିମ୍ ପେନ୍ ।

162

କନକ ବ୍ୟୁରୋ: ଇଂଲଣ୍ଡ ସହ ଆସେସ୍ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଦଳର ଅଧିନାୟକ ଟିମ୍ ପେନ୍ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ପେନ୍ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କର ଇସ୍ତଫା ପଛରେ ଏକ ବଡ କାରଣ ରହିଛି ।

ଟିମ୍ ପେନ୍ ଅଷ୍ଟ୍ରେଲିଆ ଟେଷ୍ଟ ଟିମର କ୍ୟାପଟେନ୍ ପଦ ଛାଡିବା ପଛରେ ଏକ ଅଶ୍ଲୀଳ ସ୍କାଣ୍ଡାଲ ହିଁ ପ୍ରମୁଖ କାରଣ ସାଜିଛି । ଟିମ୍ ପେନ୍ ୨୦୧୭ରେ କ୍ରିକେଟ ତସ୍ମାନିଆର ଜଣେ କର୍ମଚାରୀଙ୍କୁ ଅଶ୍ଲୀଳ ଫଟୋ ଛାଡିବା ଓ ଅଶ୍ଲୀଳ ମେସେଜ ପଠାଇଥିବା ନେଇ ଅଭିଯୋଗ ଆସିଛିି । ତେବେ ଏହାପୂର୍ବରୁ ତାଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ମିଳିଥିଲେ ମଧ୍ୟ, ଏବେ ଏହି ମାମଲା ପୁଣିଥରେ ସାମ୍ନାକୁ ଆସିଥିବାରୁ ଟିମ୍ ପେନ୍ ଏପରି ନିଷ୍ପତ୍ତି ନେଇଛନ୍ତି । ଏବଂ ଠିକ୍ ଆସେସ୍ ସିରିଜ ପୂର୍ବରୁ ଟିମ୍ ପେନ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ପେନ୍ କହିଛନ୍ତି, ସେ ଆଜି ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳର ଅଧିନାୟକ ପଦ ଛାଡୁଛନ୍ତି । ଏହା ତାଙ୍କ ପାଇଁ ଏକ କଠିନ ନିଷ୍ପତ୍ତି । ତେବେ ତାଙ୍କ ପରିବାର ଓ କ୍ରିକେଟ୍ ଅଷ୍ଟ୍ରେଲିଆ ପାଇଁ ଏହା ସଠିକ୍ ନିଷ୍ପତ୍ତି ବୋଲି ପେନ୍ କହିଛନ୍ତି । ତେବେ ୪ ବର୍ଷ ତଳେ ସେ ସେହି ମହିଳାଙ୍କୁ ଟେକ୍ସଟ୍ ମେସେଜ କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଖାଲି ସେତିକି ନୁହେଁ, ସେ ଏହି ଘଟଣା ପାଇଁ ପୂର୍ବରୁ କ୍ଷମା ମାଗିଛନ୍ତି ଏବଂ ଆଜି ମଧ୍ୟ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି । ତାଙ୍କ ପତ୍ନୀ ଓ ପରିବାର ସହ ମଧ୍ୟ ସେ ଏହି ସମ୍ଭନ୍ଧରେ କଥା ହୋଇସାରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଟିମ୍ ପେନ୍ ସୂଚନା ଦେଇଛନ୍ତି । ତେବେ ଆଗାମୀ ଆସେସ୍ ସିରିଜରେ ସେ ଅଷ୍ଟ୍ରେଲିଆ ଦଳର କ୍ୟାପଟେନ୍ ନରହିଲେ ମଧ୍ୟ ଖେଳାଳି ଭାବେ ଦଳରେ ରହିବେ ବୋଲି କୁହାଯାଇଛି ।

ରିପୋର୍ଟ ମୁତାବକ, କ୍ରିକେଟ୍ ତସ୍ମାନିଆର ଜଣେ ମହିଳା କର୍ମଚାରୀ ଦାବି କରିଛନ୍ତି ଯେ, ଟିମ୍ ପେନ୍ ତାଙ୍କୁ ଅଶ୍ଲୀଳ ମେସେଜ ଓ ଫଟୋ ସେଣ୍ଡ କରିଥିଲେ । ଏବେ ଏହି ଘଟଣା ପୁଣି ସାମ୍ନାକୁ ଆସିଥିବାରୁ ଟିମ୍ ପେନ୍ କ୍ରିକେଟ୍ ଅଷ୍ଟ୍ରେଲିଆର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକି ଆସେସ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ଏକ ବଡ ଝଟକା କୁହାଯାଉଛି ।