ବ୍ରିଜଭୂଷଣଙ୍କୁ ଗିରଫ କରିବା ଦାବି ଉପରେ ଦିଲ୍ଲୀ ପୋଲିସର ବୟାନ । କହିଲେ, ଗିରଫ କରିବା ପାଇଁ ଆମ ପାଖରେ ନାହିଁ ପର୍ଯ୍ୟାପ୍ତ ପ୍ରମାଣ
କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫକୁ ନେଇ ଦିଲ୍ଲୀ ପୋଲିସ ସୂତ୍ରରୁ ବଡ ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦିଲ୍ଲୀ ପୋଲିସ ସୂତ୍ର କହିଛି କି, ‘ଏପର୍ଯ୍ୟନ୍ତ ଆମକୁ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ’ । ଏହାସହ ଦିଲ୍ଲୀ ପୋଲିସ କହିଛି କି, ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବ । ଏହି ଚାର୍ଜସିଟ୍ ଅନ୍ତିମ ଚାର୍ଜସିଟ୍ ହୋଇପାରେ ବୋଲି କୁହାଯାଇଛି । ଏହାସହ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଦାବିକୁ ପ୍ରମାଣିତ କରିବାକୁ କୌଣସି ସହାୟକ ପ୍ରମାଣ ନଥିବା କଥା ଦିଲ୍ଲୀ ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଏହା ବ୍ୟତୀତ ଦିଲ୍ଲୀ ପୋଲିସର ସୂତ୍ର ସୂଚନା ମୁତାବକ ପ୍ରାଥମିକ ଅଭିଯୋଗରେ ଦର୍ଶାଯାଇଥିବା ପୋକ୍ସୋ ଧାରା ଅନୁଯାୟୀ ଦଣ୍ଡ ୭ବର୍ଷରୁ କମ୍ । ଏହି କାରଣରୁ ଅଭିଯୁକ୍ତଙ୍କ ଦାବି ଅନୁଯାୟୀ ତଦନ୍ତକାରୀ ଅଧିକାରୀ ତାଙ୍କୁ ଗିରଫ କରିପାରିବେ ନାହିଁ । ସେହିଭଳି ଅଭିଯୁକ୍ତ ନା ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି ନା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ପୋଲିସରୁ ସୂତ୍ର ସୂଚନା ରହିଛି ।
Till now, we have not found sufficient evidence to arrest Brij Bhushan Singh. Within 15 days we’ll be filing our report in court. It could be in the form of chargesheet or final report. There is no supportive evidence to prove wrestlers’ claim: Top Sources in Delhi Police to ANI
— ANI (@ANI) May 31, 2023
ସୂଚନା ଯୋଗ୍ୟ ଯେ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଦାବିରେ କୁସ୍ତିଯୋଦ୍ଧାମାନେ ଅଡି ବସିଛନ୍ତି । ମଙ୍ଗଳବାର ଦିନ ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ସମେତ ଅନେକ କୁସ୍ତିଯୋଦ୍ଧା ସେମାନେ ପାଇଥିବା ପଦକକୁ ଗଙ୍ଗାରେ ଭସାଇ ଦେବାକୁ ହରିଦ୍ୱାର ଯାତ୍ରା କରିଥିଲେ । ହେଲେ ଚାଷୀନେତା ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ନରେଶ ଟିକାୟତଙ୍କୁ ପଦକ ହସ୍ତାନ୍ତର କରିଥିଲେ । ଏହା ସହିତ କୁସ୍ତିଯୋଦ୍ଧାମାନେ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ୫ ଦିନ ସମୟ ଦେଇଛନ୍ତି ।