ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି । ଉଭୟ ଆସନରେ ଆରମ୍ଭରୁ ଧୀମା ମତଦାନ । ଦିନ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ

95

କନକ ବ୍ୟୁରୋ: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ସକାଳ ସକାଳ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସକାଳ ୯ଟା ସୁଦ୍ଧା ମାତ୍ର ୯ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ୧୧ଟା ସୁଦ୍ଧା ଏହି ହାର ୨୬ ଦଶମିକ ୨୪ ପ୍ରତିଶତକୁ ବୃଦ୍ଧି ହୋଇଛି । ମତଦାନ ସଂଧ୍ୟା ୬ଟା ଯାଏଁ ଚାଲିବାକୁ ଥିବାରୁ ଆଗକୁ ମତଦାନ ହାର ଅଧିକ ଦ୍ରୁତ ହେବା ନେଇ ସେ ସୂଚନା ଦେଇଛନ୍ତି ।

କରୋନା କାଳରେ ରାଜ୍ୟରେ ଦୁଇଟି ଆସନ ବାଲେଶ୍ୱର ଓ ତିର୍ତୋଲରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଆଜି ନେତା ବାଛୁଛି ବାଲେଶ୍ୱର ଓ ତିର୍ତୋଲ । ଏହି ଦୁଇ ସ୍ଥାନରେ ସକାଳ ୭ ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ ।

ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା । ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ଏହା ପରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ପୋଲିଂ କର୍ମଚାରୀ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ ।