ଭଡା ଘରେ ରହୁଥିଲେ, ବାପା ଇଲେକ୍ଟ୍ରିସିଆନ କାମ କରୁଥିଲେ: ପୁଅ ଏବେ ଆଇପିଏଲରେ ଷ୍ଟାର ଖେଳାଳି

281

କନକ ବ୍ୟୁରୋ: ସଂଘର୍ଷ ଭିତରେ ସେ ଦେଖୁଥିଲେ କ୍ରିକେଟର ହେବାର ସ୍ୱପ୍ନ । ଗରିବି ଗଳିରୁ ସେ ଲେଖୁଥିଲେ ନିଜ ସଫଳତାର କାହାଣୀ । ଦିନେ ବଡ କ୍ରିକେଟର ହୋଇ ନିଜ ବାପା ମାଙ୍କ ପାଇଁ ଭଲ ଘର ଖଣ୍ଡିଏ କରିବେ ବୋଲି ସେ ମନେ ମନେ ସ୍ଥିର କରିଥିଲେ । ଆଉ ଶେଷରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ମଧ୍ୟ ସାରିଛନ୍ତି । ଆଜି ସେ ଆଇପିଏଲ ଖେଳି ନିଜ ସ୍ୱପ୍ନ ପୂରା କରିପାରିଛନ୍ତି । କେବଳ ସ୍ୱପ୍ନ ପୂରା କରିନାହାନ୍ତି ଚମତ୍କାର ପ୍ରଦର୍ଶନ କରି ନିଜ ବାପାମାଆଙ୍କ ନାଁ ରଖିଛନ୍ତି । ସେହି କ୍ରିକେଟର ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ତିଲକ ବର୍ମା ।

୧୯ ବର୍ଷିୟ ତିଲକ ବର୍ମା ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ନମ୍ବୁରୀ ଠାକୁର ତିଲକ ବର୍ମା । ହାଇଦ୍ରାବାଦରେ ହିଁ ପାଠ ପଢିବା ସହ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ବାପା ନମ୍ବୁରୀ ନାଗାରାଜୁ ଜଣେ ଇଲେକ୍ଟ୍ରିସିଆନ । ପରିବାରର ଆର୍ଥିକ ସ୍ଥିତି ବେଶ ଦୁର୍ବଳ । ଏହା ମଧ୍ୟରେ ବି ସେ ପୁଅର କ୍ରିକେଟ ଖେଳକୁ ସମର୍ଥନ କରୁଥିଲେ । ପୁଅର କ୍ରିକେଟ ଜିନିଷ ପାଇଁ ଘରର ଜରୁରୀ ଜିନିଷ ମଧ୍ୟ ଆଣୁନଥିଲେ । ଏମିତି କି ସହରରେ ରହିବା ପାଇଁ ତାଙ୍କର ନିଜ ଘର ଖଣ୍ଡିଏ ବି ନାହିଁ । ତାଙ୍କ ପରିବାର ଘର ଭଡା ନେଇ ହାଇଦ୍ରାବାଦରେ ରହୁଛନ୍ତି ।

ସଂଘର୍ଷରୁ ଏହି ସଫଳତାର ରାସ୍ତା ଖୋଜିପାଇବା ତିଲକଙ୍କ ପାଇଁ ଏତେ ସହଜ ନଥିଲା । କମ ଦରମାରେ ଘର ଖର୍ଚ୍ଚ ସହ ପୁଅର କ୍ରିକେଟ ଖେଳିବାର ସ୍ୱପ୍ନ ପୂରଣ କରିଥିଲେ ତାଙ୍କ ବାପା । ଏବେ ଆଇପିଏଲରେ ସ୍ଥାନ ମିଳିବା ପରେ ସେହି ଟଙ୍କାରେ ସେ ନିଜ ବାପାମାଆଙ୍କ ପାଇଁ ଏକ ଘର କରିବା କଥା କହିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ ଅକ୍ସନରେ ତିଲକ ବର୍ମାଙ୍କୁ ୧ କୋଟି ୭୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀ ବିପକ୍ଷରେ ସେ ଡେବ୍ୟୁ କରିଥିଲେ । ସୁଯୋଗ ମିଳିବା ପରେ ପଛକୁ ଫେରିନଥିଲେ ତିଲକ । ସେ ଏବେ ଯାଏଁ ମୁମ୍ବାଇ ପାଇଁ ୧୨ ମ୍ୟାଚ ଖେଳି ୩୬୮ ରନ କରିଛନ୍ତି । ଏହାସହ ଚେନ୍ନାଇ ବିପକ୍ଷରେ ଯେତେବେଳେ ଗୋଟିଏ ପରେ ଗୋଟିଏ ୱିକେଟ ଗଳି ଚାଲିଥିଲା ସେତେବେଳେ ତିଲକ ସଙ୍କଟ ମୋଚକ ହୋଇ ମୁମ୍ବାଇକୁ ବିଜୟୀ କରାଇଥିଲେ ।