ଛୋଟ ପିଲାଙ୍କୁ ଟିକଟକ୍ ଛୁଇଁବା ମନା । ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ ଲାଗିଲା ଟିକଟକ୍ ଲଗାମ୍ । ଛୋଟ ପିଲାଙ୍କ ସବୁ ଆକାଉଣ୍ଟରେ ତାଲା ପକାଇବ ଟିକଟକ୍ ।

389

କନକ ବ୍ୟୁରୋ : ଟିକଟକ୍ । ଏହା ଏଭଳି ଏକ ସୋସିଆଲ୍ ମିଡିଆ, ଯାହା ଖୁବ୍ ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । କିନ୍ତୁ ଏଣିକି ଛୋଟ ପିଲାଙ୍କ ପାଇଁ ବ୍ୟାନ ହୋଇଛି ଟିକଟକ୍ ।

ଛୋଟପିଲାଙ୍କୁ ଟିକଟକ୍ ମନା । ଏଣିକି ଟିକଟକ ଆପରେ ରହିପାରିବନି ଛୋଟ ପିଲାଙ୍କ ଆକାଉଂଟ । ଚୀନ୍ ସୋସିଆଲ୍ ମିଡିଆ କମ୍ପାନୀ ଟିକଟକ୍ ପକ୍ଷରୁ କୁହାଯାଇଛି ଯେ, ପ୍ଲାଟଫର୍ମରେ ଥିବା ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ସମସ୍ତ ଆକାଉଂଟକୁ ବନ୍ଦ କରିଦିଆଯିବ । ଏପରିକି ୧୩ ବର୍ଷରୁ କମ୍ ବୟସର ପିଲା ଚାହିଁଲେ ବି ଟିକଟକରେ ଆଉ ଆକାଉଂଟ ଖୋଲି ପାରିବେ ନାହିଁ ।

କେତେକ ସ୍ୱୟଂସେବୀ ସଂସ୍ଥା ଅଭିଯୋଗ ଆଣିଥିଲେ ଯେ, ଏହି ସୋସିଆଲ୍ ସାଇଟରେ ଛୋଟ ପିଲାଙ୍କ ସହ ମାନସିକ ଏବଂ ଯୌନଶୋଷଣ ହେଉଛି । ଅନେକ ସାଂସଦ ମଧ୍ୟ ଟିକଟକରେ ଛୋଟ ପିଲାଙ୍କ ଆପତିଜନକ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଥିଲେ । ଶେଷରେ ସରକାର ଏବଂ ସିଭିଲ୍ ସୋସାଇଟ ପକ୍ଷରୁ ଚାପ ପଡିବା ପରେ ଛୋଟ ପିଲାଙ୍କ ଆକାଉଂଟ ହଟାଇବା ପାଇଁ ନିଷ୍ପତି ନେଇଛି ଟିକଟକ ।

ବର୍ତ୍ତମାନ ସମୟରେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛୋଟ ପିଲାଙ୍କ ନୃତ୍ୟ, ଅଭିନୟ ଅଧିକ ଦେଖିବାକୁ ମିଳୁଛି । ଲୋକମାନେ ଏହି ଭିଡିଓ ଗୁଡିକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି । ରିଭ୍ୟୁ ଆଧାରରେ ଛୋଟ ପିଲାଙ୍କ ଦ୍ୱାରା ବନାଯାଇଥିବା କଣ୍ଟେଟ ସବୁଠାରୁ ଅଧିକ ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳୁଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ୪ ଘଣ୍ଟାରେ ଜଣେ ଛୋଟ ପିଲାର ସୋସିଆଲ ମିଡିଆରେ ମାନସିକ କିମ୍ବା ଯୌନ ପ୍ରତାଡନା ହୋଇଥାଏ । ଏପରିକି କିଛି ଲୋକ ଛୋଟ ଝିଅଙ୍କ ଭିଡିଓରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରୁଥିବାର ଅଭିଯୋଗ ରହିଛି । ଆଉ ଏଭଳି ତମାମ ଅଭିଯୋଗ ପରେ ଶେଷରେ ଛୋଟ ପିଲାଙ୍କ ଆକାଉଣ୍ଟକୁ ହଟାଇବା ପାଇଁ ନିଷ୍ପତି ନେଇଛି ଟିକଟକ୍ ।