ଭାରତ କବାଟ ବାହାରେ ଠକ୍ ଠକ୍ କରୁଛି ଟିକଟକ୍ ! ପବଜି ପରେ କମବ୍ୟାକ୍ କରିପାରେ ଏହି ଲୋକପ୍ରିୟ ଭିଡିଓ ଆପ୍ ।

1,389

କନକ ବ୍ୟୁରୋ : ପବଜି ପରେ ଟିକଟକ୍ । ଭାରତକୁ ଫେରିପାରେ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ଆପ୍ ଟିକଟକ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲୋକପ୍ରିୟ ଚାଇନା ଆପ୍ ଭାରତକୁ କମବ୍ୟାକ୍ କରିପାରେ । ଟିକଟକ୍ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧି ଭାରତରେ ଟିକଟକ୍ କର୍ମଚାରୀମାନଙ୍କୁ ଏକ ଇମେଲ୍ କରିଛନ୍ତି । ଆଉ ଏହି ଇମେଲରେ ଆଶ୍ୱାସନା ଦିଆଯାଇଛି ଯେ, କମ୍ପାନୀ ଟିକଟକକୁ କମବ୍ୟାକ କରାଇବା ପାଇଁ ଚେଷ୍ଟା ଚଳାଇଛି ।

ସୂଚନା ଅନୁଯାୟୀ, ଟିକଟକର ପ୍ୟାରେଂଟ କମ୍ପାନୀ ବାଇଟଡ୍ୟାନ୍ସ ଅଧୀନରେ ଏବେବି ଅନେକ କର୍ମଚାରୀ ଭାରତରେ କାମ କରୁଛନ୍ତି । କୁହାଯାଉଛି, ଟିକଟକ୍ ଏବଂ ହାଲୋ ଆପ୍ ପାଇଁ ଭାରତରେ ପ୍ରାୟ ୨୦୦୦ କର୍ମଚାରୀ ଅଛନ୍ତି । ଭାରତରେ ଟିକଟକ୍ ବ୍ୟାନ୍ ହେବା ସତ୍ୱେ କମ୍ପାନୀ ଭାରତରେ ନିଜ କର୍ମଚାରୀମାନଙ୍କୁ ରଖିଛି ।

ଜାତୀୟ ସୁରକ୍ଷା ପ୍ରତି ବିପଦ, ଏବଂ ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ଗତ ଜୁନ୍ ମାସ ୨୯ ତାରିଖରେ ଟିକଟକ୍ ସମେତ ୫୯ଟି ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଆଉ ଏହା ପରେ ଲୋକପ୍ରିୟ ଗେମିଂ ଆପ୍ ପବଜି ଉପରେ ମଧ୍ୟ ଲାଗିଥିଲା ବ୍ୟାନ୍ । କିନ୍ତୁ ଏଥର ଚାଇନା କମ୍ପାନୀ ବିନା ପବଜି ଭାରତକୁ ଆସିବାକୁ ଯାଉଥିବା ବେଳେ ଟିକଟକ୍ ସହ କିନ୍ତୁ ଏମିତି ହେବ ନାହିଁ । ଟିକଟକ୍ ପକ୍ଷରୁ କିନ୍ତୁ ଏଯାଏଁ ଏବାବଦରେ କିଛି ବି ଘୋଷଣା କରାଯାଇନାହିଁ ।

ଟିକଟକ୍ ଇଣ୍ଡିଆ ମୁଖ୍ୟ କହିଛନ୍ତି ଯେ, ଆମେ ସ୍ଥାନୀୟ ନିୟମ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତ ସରକାରଙ୍କ ଅନୁଯାୟୀ, ଟିକଟକ୍ ସ୍ପଷ୍ଟୀକରଣ ଦାଖଲ କରିଛି । ତେବେ ସରକାରଙ୍କ ପକ୍ଷରୁ ସକରାତ୍ମକ ପ୍ରତିକ୍ରିୟା ମିଳିବ ବୋଲି ଆଶା ପ୍ରକଟ କରିଛି ଟିକଟକ୍ ।