କନକ ବ୍ୟୁରୋ: ଆନ୍ଧ୍ର ଓ ଓଡିଶା ବିବାଦ ଭିତରେ ଆଜି କୋଟିଆ ପଞ୍ଚାୟତ ନିର୍ବାଚନର ଗଣତି ହୋଇଛି । ଆଉ ଏଠାରେ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଛି । ସବୁ ରାଜନୈତିକ ଦଳ ମିଶି ଜଣେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଠିଆ କରିଥିଲେ କିନ୍ତୁ ତାଙ୍କ ବିରୋଧରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିଦ୍ ଧରି ଛିଡା ହୋଇଥିଲେ ଏବଂ ଶେଷରେ ପରିଣାମ ସ୍ୱାଧୀନ ପ୍ରାର୍ଥୀଙ୍କ ଆଡକୁ ଯାଇଛି । ସର୍ବଦଳୀୟ ପ୍ରାର୍ଥୀ ମମିତା ଜାନିଙ୍କୁ  ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ପରାଜିତ କରିଥିବା ସୂଚନା ମିଳିଛି ।

Advertisment

ତେବେ କୋଟିଆରେ ପ୍ରାର୍ଥୀ କିଏ ହେବେ ସେ ନେଇ ଚଳିତ ପଞ୍ଚାୟତ ନିର୍ବାଚନ ବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା । ପଡୋଶୀ ଆନ୍ଧ୍ର ସହ ଟକରା ଟକରି ଥିବା ବେଳେ ତିନି ରାଜନୈତିକ ଦଳ ଏକାଠି ହୋଇ ଏଠାରେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଏଠାରେ ଅସନ୍ତୁଷ୍ଟ କଂଗ୍ରେସ ନେତା ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଚେକ୍ ଦେଇଛନ୍ତି ।

  • କୋଟିଆରେ କୋଣଠେସା ସର୍ବଦଳୀୟ ପ୍ରାର୍ଥୀ
  • ଗେମ୍ ଚେଞ୍ଜର ପାଲଟିଲେ ସ୍ୱାଧୀନ ପ୍ରାର୍ଥୀ ଗେମେଲ

ଅବିଭକ୍ତ କୋରାପୁଟ୍ ଜିଲ୍ଲା କୋଟିଆ ପଟାଙ୍ଗୀର ୧ ନମ୍ବର ଜୋନର ଫଇସଲା ସମସ୍ତଙ୍କୁ ଚକିତ କରିଛି । ଆନ୍ଧ୍ର ଷଡଯନ୍ତ୍ର ବେଳେ ଭୋଟ୍ ବିଭାଜନକୁ ରୋକିବାକୁ ଏକତା ହିଁ ବଳ ଆଧାରରେ ଏଠାରେ ତିନି ରାଜନୈତିକ ଦଳ ମିଳିତ ପ୍ରାର୍ଥୀ ଦେଇଥିଲୋ ତେଣୁ ପଞ୍ଚାୟତ ନିର୍ବାଚନ ବେଳେ ଆଗ ମାଟି, ପରେ ପାର୍ଟି ନାରା ଦେଇ ଭୋଟ୍ ହାତେଇବାକୁ ଉଦ୍ୟମ କରିଥିଲେ ତିନି ଦଳ । କିନ୍ତୁ ଏଠାରେ ସବୁ ଚିତ୍ର ବଦଳାଇ ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ । ତେବେ ଏକଦା କଂଗ୍ରେସର ଗଡ ଥିବା ଏହି ଜିଲ୍ଲାରେ ଯଦିଓ ବିଜେଡି ବହୁ ଆସନରେ ଆଗୁଆ ରହିଛି । କିନ୍ତୁ ରାଜନୈତିକ ଦଳ ଏକାଠି ହୋଇ ପ୍ରାର୍ଥୀ ଛିଡା କଲେ ମଧ୍ୟ କୋଟିଆ ବାସୀ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

  • କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଲେ ଜୟରାମ ପାଙ୍ଗୀ
  • କହିଲେ ସର୍ବଦଳୀୟ ପ୍ରାର୍ଥୀ ହାରିବା ପଛରେ କଂଗ୍ରେସ ଦାୟୀ

ବିଜେପି ନେତା ତଥା କୋରାପୁଟର ଟାଣୁଆ ନେତା ଜୟରାମ ପାଙ୍ଗୀ କହିଛନ୍ତି, ଟିକାଇ ଗେମେଲ ଜଣେ ଅସନ୍ତୁଷ୍ଟ କଂଗ୍ରେସ ନେତା । ଶେଷ ବେଳରେ ଏଠାରେ କଂଗ୍ରେସର ପୂର୍ବତନ ବିଧାୟକ ଟିକାଇ ଗେମେଲଙ୍କୁ ସମର୍ଥନ କରିବାରୁ ଚିତ୍ର ବଦଳିଛି । ଏଠାରେ ବିଜେଡି-ବିଜେପି ଯେଉଁଭଳି ସକ୍ରିୟ ହୋଇ ମମିତା ଜାନିଙ୍କ ପାଇଁ ପ୍ରଚାର କରୁଥିଲେ ସେହିପରି କଂଗ୍ରେସ କରିନାହିଁ ବୋଲି ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି । ଅନ୍ୟପଟେ ବିଜେଡି ନେତା କହିଛନ୍ତି ଉଭୟ ପ୍ରାର୍ଥୀ ଓଡିଶାର । ତେବେ ଆଗାମୀ ଦିନରେ ସ୍ୱାଧୀନ ପ୍ରାର୍ଥୀ ଗେମେଲ କିଭଳି କୋଟିଆରେ ବିକାଶର ରୋଡ୍ ମ୍ୟାପ ତିଆରି କରି ଏହି ଅଞ୍ଚଳକୁ ମୁଖ୍ୟ ଧାରାରେ ସାମିଲ କରିପାରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।