ଓଡ଼ିଶାରେ ଟିକା ଅଭାବ ଭିତରେ ଆଜି ସରିବ ଟିକା ଉତ୍ସବ : ଟିକା ସଂକଟ ଯୋଗୁଁ ରାଜ୍ୟର ୯୮୧ଟି କେନ୍ଦ୍ରରେ ବନ୍ଦ ହେଲା ଟିକାକରଣ
୧୧ଟି ଜିଲ୍ଲାରେ ହୋଇପାରୁନି ଟିକାକରଣ
କନକ ବ୍ୟୁରୋ : ଆଜି ସରିବ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବରେ ଆରମ୍ଭ ହୋଇଥିବା ଚାରିଦିନିଆ ‘ଟିକା ଉତ୍ସବ’ର ଆଜି ଅବସାନ ହେଉଛି । କରୋନା ଭାଇରସ୍ର ପୁନଃ ଦ୍ରୁତ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏପ୍ରିଲ ୧୧ ତାରିଖରୁ ଦେଶବ୍ୟାପୀ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଟିକା ଉତ୍ସବରେ ରାଜ୍ୟରେ ଦେଖାଦେଇଛି ଟିକା ଅଭାବ । ଏଥି ଯୋଗୁଁ ରାଜ୍ୟରେ ଜଟିଳ ପରିସ୍ଥିତି ଦେଖା ଦେଇଛି । ଟିକା ଅଭାବରୁ ମଙ୍ଗଳବାର ରାଜ୍ୟର ୧୧ ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକା ଦିଆଯାଇ ନାହିଁ । ମଙ୍ଗଳବାର କେବଳ ୬୬ ହଜାର ୭୮୭ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି । ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ରହିଛି । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି ବୌଦ୍ଧ, ଝାରୁସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ଭଳି ଜିଲ୍ଲାରେ ମଙ୍ଗଳବାର ଟିକାକରଣ ହୋଇ ନାହିଁ । କମ ଟିକା ଆସୁଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ।
ସେପଟେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଏହି ଅଭିଯାନର ତୃତୀୟ ଦିବସ ବା ମଙ୍ଗଳବାର ଦିନ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଦଆଯାଇଛି। ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧୧,୧୦,୩୩,୯୨୫ଜଣଙ୍କୁ କୋଭିଡ୍-୧୯ ନିରୋଧି ଟିକା ଦିଆଗଲାଣି । ସେହିଭଳି, ସୋମବାର ଦିନ ମଧ୍ୟ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଥିଲା। ‘ଟିକା ଉତ୍ସବ’ର ପ୍ରଥମ ଦିବସରେ ଦିଆଯାଇଥିଲା ପ୍ରାୟ ୩୦ ଲକ୍ଷ ଟିକା । ଏହା ଛଡ଼ା, ଦେଶରେ ଆଉ ୧୮,୮୦୦ ‘କୋଭିଡ୍ ଟିକାକରଣ କେନ୍ଦ୍ର’ ଖୋଲିଛି ।