ଲକଡାଉନ୍ ବେଳେ ଆବଶ୍ୟକୀୟ ସାମଗ୍ରୀ କିଣାକିଣି ପାଇଁ ଅସୁବିଧା ହେଉଛି କି? ତେବେ ବ୍ୟବହାର କରନ୍ତୁ ଟିକ୍ ମି ଆପ୍ । ଆଖପାଖ ଦୋକାନ ଏବଂ ହୋଟେଲରୁ ଆପଣ ମଗାଇ ପାରିବେ ନିଜ ପସନ୍ଦର ଜିନିଷ

262

କନକ ବ୍ୟୁରୋ: ଲକଡାଉନ୍ ବେଳେ ଆପଣଙ୍କୁ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରୁବାକୁ ଅସୁବିଧା ହେଉଛି କି? ରାସନ ଦୋକାନ ଆଗରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି କି ? ଏସମସ୍ୟାର ସମାଧାନ ପାଇଁ ନୂଆ ଉପାୟ ଆପଣେଇଛି ଭୁବନେଶ୍ୱର ମହାନଗର ନିଗମ । ଟିକ୍ ମି ମୋବାଇଲ୍ ଆପ୍ ଜରିଆରେ ଅନଲାଇନରେ ଆପଣ ଆଖପାଖ ଦୋକାନ, ଔଷଧ ଦୋକାନ ଏବଂ ହୋଟେଲରୁ ନିଜ ପସନ୍ଦର ଜିନିଷ ମଗାଇ ପାରିବେ । ଏହି ଆପ ଅନେକ ସ୍ଥାନୀୟ ଓ ଆଖପାଖ ଦୋକାନକୁ ସାମିଲ କରିବାର ବ୍ୟବସ୍ଥା ରଖିଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ନିତ୍ୟ ବ୍ୟବହାର୍ଯ୍ୟ ଦୋକାନଗୁଡିକର ତାଲିକା ପ୍ରସ୍ତୁତି ।

 

ଲୋକଙ୍କୁ ସୁବିଧାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଁଚାଇବା ଲକ୍ଷ୍ୟରେ ‘ ଟିକ ମି’ ନାମରେ ଏକ ମୋବାଇଲ ଆପ୍ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ଏହି ଆପ୍ ଜରିଆରେ ଅନଲାଇନରେ ଆପଣ ନିଜ ମନ ପସନ୍ଦର ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ହୋଟେଲରୁ ଖାଇବା ମଗାଇ ପାରିବେ । ଏହାକୁ http://onelink.to/tickmeରୁ ଆପ୍ ଡାଉନ୍ଲୋଡ କରିହେବ । ଏହି ଆପ୍ ବ୍ୟବହାର ଯୋଗୁଁ ଅନେକ ସୁବିଧା ମିଳିପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

– ଲକ୍ ଡାଉନରେ ଆପଣ ସୁରକ୍ଷିତ ରହିବା ସହ ନିଜ ପସନ୍ଦର ସାମଗ୍ରୀ ପାଇ ପାରିବେ

– ନୂଆ ବ୍ୟବହାରକାରୀ ଇମେଲ୍ ଜରିଆରେ ଆପ୍ ଆକାଉଂଟ ଖୋଲି ପାରିବେ

– ଭିନ୍ନକ୍ଷମଙ୍କ ବ୍ୟବହାର କରିବା ନେଇ ଉଦ୍ୟମ ଜାରି ରହିଛି

– ଆପରେ ସାମଗ୍ରୀ କିଣିଲେ ଆପଣଙ୍କ ଘରକୁ ଜିନିଷ ଆସିପାରିବ କିମ୍ବା ଆପଣଙ୍କ ଅର୍ଡର ଦୋକାନରେ ପ୍ରସ୍ତୁତ ହୋଇଥିବା ସେଠାରୁ କମ୍ ସମୟରେ ଆଣିପାରିବେ

ବର୍ତ୍ତମାନ ଏହି ଆପରେ ଦୋକାନୀମାନେ ନିଜକୁ ପଂଜିକୃତ କରୁଛନ୍ତି । ଅନ୍ୟପଟେ ଏହି ଆପ୍ ଅନଲାଇନ୍ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ସହ ସାମାଜିକ ଦୂରତା ରକ୍ଷା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।