ପଟିଆଲା ହାଉସକୋର୍ଟର ରାୟକୁ ଚ୍ୟାଲେଞ୍ଜ କଲା ତିହାର ଜେଲ୍ । ସେପଟେ ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ ଠାକୁର, ବିନୟର ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି ।

436

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ବିନୟର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏବେ ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ରାଜକ୍ଷମା ଆବେଦନ କରିଛି । ସେପଟେ ଫେବ୍ରୁଆରୀ ୧ତାରିଖ ଫାଶୀ ତାରିଖ ଉପରେ ରହିତାଦେଶ ଲଗାଇଥିବା ପଟିଆଲା ହାଉସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ ।

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ବିନୟର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏବେ ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ରାଜକ୍ଷମା ଆବେଦନ କରିଛି । ତିହାର ଜେଲରେ ଫାଶୀ ଅପେକ୍ଷାରେ ଥିବା ଅକ୍ଷୟ ଠାକୁର ଫାଶୀରୁ ବର୍ତିବାକୁ ଶେଷ ବାଟ ଆପଣାଇଛି । ଏହି କ୍ରମରେ ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ।

ଅପରପକ୍ଷରେ ବିନୟ ଶର୍ମାଙ୍କୁ ଏହି ମାମଲାରେ ବଡ ଝଟକା ଲାଗିଛି । ବିନୟର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି । ପୂର୍ବରୁ ଦୋଷୀ ମୁକେଶର ରାଜକ୍ଷମା ମଧ୍ୟ ଖାରଜ ହୋଇସାରିଛି । ସେ ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ଏବେ ବିନୟ ପାଖରେ ମଧ୍ୟ ଏହି ଗୋଟିଏ ବିକଳ୍ପ ବାକି ରହିଛି । ବିନୟ ମଧ୍ୟ ସୁପ୍ରିମକୋର୍ଟରେ ରାଜକ୍ଷମା ଆବେଦନକୁ ଚ୍ୟାଲେଞ୍ଜ କରିପାରିବ । ଘଟଣାର ଅନ୍ୟତମ ଦୋଷୀ ପୱନ କୁମାର ନିକଟରେ ରାଜକ୍ଷମା ଓ କ୍ୟୁରେଟିଭ ପିଟିସନ ଦାଖଲ କରିବାର ଦୁଇଟି ବିକଳ୍ପ ଏବେ ମଧ୍ୟ ରହିଛି ।

ଫେବ୍ରୁଆରୀ ୧ ତାରିଖ ଅର୍ଥାତ ଆଜି ପାଇଁ ପୂର୍ବରୁ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିଥିଲେ । ତେବେ ନିଜେ ଜାରି କରିଥିବା ଡେଥ ୱାରେଂଟ୍ ଉପରେ ଶୁକ୍ରବାର ରୋକ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । କୋର୍ଟରେ ଦୋଷୀଙ୍କ ଆବେଦନ ଲମ୍ବି ଥିବା ଯୋଗୁଁ ଫେବ୍ରୁଆରୀ ୧ରେ ଫାଶୀ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ଦେଶର ନ୍ୟାୟ ବ୍ୟବସ୍ଥାରେ ଥିବା ଗଳାବାଟକୁ ବ୍ୟବହାର କରି ବାରମ୍ବାର ଫାଶୀ ତାରିଖ ଗଡାଇ ଚାଲିଛନ୍ତି ନିର୍ଭୟା ଦୋଷୀ ।