ବାନ୍ଧବଗଡ ବାହୁଡିବ ବାଘୁଣୀ ! ମଣିଷ ମାରିଥିବା ‘ସୁନ୍ଦରୀ’ ଫେରିଯିବ ମଧ୍ୟପ୍ରଦେଶ, ଟିମ୍ ଆସୁଛନ୍ତି ଟ୍ରାଙ୍କୁଲାଇଜ୍ କରି ନେଇଯିବେ ।

69

ଫେରିଯିବ ବାଘୁଣୀ ‘ସୁନ୍ଦରୀ’ । ଅନୁଗୁଳ ସାତକୋଶିଆକୁ ଆସିଥିବା ବାଘୁଣୀ ସୁନ୍ଦରୀକୁ ଆସନ୍ତା ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶ ବାନ୍ଧବଗଡ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ । ଆଉ ଏଥି ପାଇଁ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବାକୁ ରାଜ୍ୟ ବାହାରୁ ଓଡିଶାକୁ ୨ଟି ଟିମ୍ ଆସୁଛନ୍ତି । ବାନ୍ଧବଗଡ ଏବଂ ଡେରାଡୁନରୁ ୨ଟି ଟିମ୍ ଓଡିଶା ଆସୁଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର ।

ତେବେ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ମଣିଷ ଶିକାର ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସାତକୋଶିଆକୁ ଯାଉଥିବା ସମସ୍ତ ରାସ୍ତାକୁ ଅଂଚଳବାସୀ ଅବରୋଧ କରିଥିଲେ । ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣର୍ ଭାବେ ବନ୍ଦ ହୋଇଯାଇଥିଲା । ୫୦ଲକ୍ଷ ଟଙ୍କା ସହ ବାଘକୁ ସ୍ଥାନୀୟ ଅଂଚଳରୁ ବାହାର କରିବା ପାଇଁ ଲୋକେ ଦାବି କରିଥିଲେ । ଏହାସହ ଉତ୍ୟକ୍ତ ଲୋକେ ସାତକୋଶିଆରେ ଥିବା ବୋଟ ଗୁଡିକୁ ମଧ୍ୟ ପୋଡି ଦେଇଥିଲେ ।

ଗତକାଲି ସାତକୋଶିଆ ଗାଁ ଭିତରେ ସୁନ୍ଦରୀ ବାଘୁଣୀ ଶିକାରରେ ମହିଳାଙ୍କ ମୃତ୍ୟୁ ପରେ ହାତୀବାରି ବିଟ୍ ହାଉସ ପୋଡି ଦେଇଥିଲେ ଉତ୍ୟକ୍ତ ଲୋକେ । କାର୍ଯ୍ୟାଳୟରେ ନିଆଁ ଲଗାଇବା ସହ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ମାଡ ମାରିଥିଲେ । ମୃତକଙ୍କ ସମ୍ପର୍କୀୟଙ୍କ କହିିବା ଅନୁଯାୟୀ ଛେଳି ଚରାଇବା ପାଇଁ ଯାଇଥିବା ମହିଳାଙ୍କର ବାଘୁଣୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇପଡିଥିଲେ ।

ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ଦିନରେ ସ୍ଥାନୀୟ ଅଂଚଳବାସୀ ଏହାକୁ ବିରୋଧ କରି ଆସୁଛନ୍ତି । କିନ୍ତୁ ଏହାକୁ ବନବିଭାଗ ଅଣଦେଖା କରିବା ସହ ଗୁଜବ ବୋଲି କହିଆସୁଥିଲା । ସେପଟେ ସ୍ଥାନୀୟ ଲୋକଙ୍କୁ ରାତି ଦିନ ମଣିଷ ଖିଆ ସୁନ୍ଦରୀର ଭୟ ଘାରିଥିଲା । ସାତକୋଶିଆ ଭିତରେ ଥିବା ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଥିଲା । ସମସ୍ତଙ୍କୁ ଘାରିଥିଲା ସୁନ୍ଦରୀ ଭୟ । ବାଘ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡା ଯାଇଥିଲା ।

ତେବେ ଏହି ଘଟଣା ପରେ ମହିଳାଙ୍କ ମୃତଦେହକୁ ରଖି ରାସ୍ତାରୋକ କରିଥିଲେ ହାତୀବାରୀ ବାସିନ୍ଦା । ଏହା ପରେ ପ୍ରଶାସନ ସହ ଆଲୋଚନା ହୋଇଥିଲା ଏବଂ ରାସ୍ତାରୋକ ମଧ୍ୟ ହଟିଲା । ଶେଷରେ ସୁନ୍ଦରୀକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ଏହା ସହ ମୃତକଙ୍କ ପରିବାରକୁ ସହାୟତା ଦିଆଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ମୃତକଙ୍କ ଦାହସଂସ୍କାର ପାଇଁ ଆଜି ୬୦ ହଜାର ଟଙ୍କା ଦିଆଯାଇଥିବା ବେଳେ ଆଉ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହା ସହ ମୃତକଙ୍କ ପରିବାର ମଧ୍ୟରୁ ଜଣଙ୍କୁ ଚାକିରି ଦିଆଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।