ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନୁଗୁଳରେ ପହଞ୍ଚିଲେ ମଧ୍ୟପ୍ରଦେଶ ବନ ବିଭାଗର ଟିମ୍ ।

145

କନକ ବ୍ୟୁରୋ: ସାତକୋଶିଆରୁ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଅନୁଗୁଳରେ ପହଂଚିଛନ୍ତି ମଧ୍ୟପ୍ରଦେଶ ବନ ବିଭାଗର ଏକ ଟିମ୍ । ସବୁକିଛି ଠିକଠାକ ରହିଲେ ସପ୍ତାହେ ଭିତରେ ସୁନ୍ଦରୀ ଓଡିଶା ଛାଡିପାରେ ବୋଲି କୁହାଯାଉଛି । ସୁନ୍ଦରୀର ଜଙ୍ଗଲ ପ୍ରବୃତି ଫେରାଇ ଆଣିବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ ।

କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏହି ଟିମ ଆସି ପହଂଚିଥିବାବେଳେ ସେମାନେ ସୁନ୍ଦରୀକୁ ଦେଖିବା ପରେ ଫେରାଇ ନେବାପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ତେବେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଏହା ଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ । ହେଲେ ୨୦୧୮ ଜୁନରେ ସୁନ୍ଦରୀ ଆସିବା ଦିନରୁ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ବିଶେଷ କରି ସୁନ୍ଦରୀ ଆକ୍ରମଣରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ ନେଇ ଅଂଚଳବାସୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ସେହିବର୍ଷ ନଭେମ୍ବରରୁ ସୁନ୍ଦରୀ ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ ବିତାଉଛି ।