ଶେଷରେ ଫେରିଗଲା ‘ସୁନ୍ଦରୀ’ । ଯନ୍ତାକୁ ନଆସିବାରୁ ବାଘୁଣୀ ସୁନ୍ଦରୀକୁ କରାଗଲା ଟ୍ରାଙ୍କୁଲାଇଜ୍, ସ୍ୱତନ୍ତ୍ର ଗାଡିରେ ଓଡ଼ିଶାରୁ ମଧ୍ୟପ୍ରଦେଶକୁ ହେଉଛି ସ୍ଥାନାନ୍ତର ।

260

କନକ ବ୍ୟୁରୋ : ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି । ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି । ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି । ଯନ୍ତାରେ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରିଥିଲେ । କିନ୍ତୁ ଯନ୍ତା ପାଖକୁ ସେ ଆସି ନଥିଲା । ଶେଷରେ ୩ ଜଣିଆ ଡାକ୍ତରୀ ଟିମ୍‌ ବାଧ୍ୟ ହୋଇ ଟ୍ରାଙ୍କୁଲାଇଜ୍‌ କରିଥିଲେ ।

ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ ଚେତା ପାଇଥିଲା । ଏହା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ି ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲା । ତେବେ ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ଓଜନ ପରୀକ୍ଷା କରାଯାଇଥିଲା । ଏଥି ସହିତ ସେ କରିଥିବା ଶିକାର ଦିଆଯାଇଥିଲା । ସୁନ୍ଦରୀ ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲା ପହଂଚିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ସାତକୋଶିଆରେ ରହଣୀ ସମୟରେ ସୁନ୍ଦରୀ ଜଣେ ମହିଳା ଓ  ଜଣେ ଚାଷୀଙ୍କ ଜୀବନ ନେଇଥିଲା । କୈଳାଶୀ ଗାଁ ନାଳରେ ଗାଧୋଉଥିବା ବେଳେ ସୁନ୍ଦରୀ ପଛପଟରୁ ଝାମ୍ପ ମାରି ତାଙ୍କର ଜୀବନ ନେଇଥିଲା । ବାଘୁଣୀ ପୁଳାଏ ମାଂସ ଖାଇଦେଇଥିଲା । ଏହି ଘଟଣାକୁ ନେଇ ସାତକୋଶିଆ ବନବାସୀ ଖପ୍ପା ହୋଇଥିଲେ । ସେମାନେ ଟିକରପଡ଼ାରେ ଲଙ୍କା କାଣ୍ଡ କରିଥିଲେ । ସାତକୋଶିଆ ବନ ବିଭାଗର ଡଙ୍କାରେ ନିଆଁ ଲଗାଇ ଦେଇଥିଲେ । ବିଟ ହାଉସ ପୋଡ଼ି ଦେଇଥିଲେ ।

ସେହିପରି ଟାଇଁସି ଗାଁର ଜଣେ ଚାଷୀ ଗାଁ ପାଖ ନାଳକୁ ଯାଇଥିବା ବେଳେ ସକାଳୁ ସୁନ୍ଦରୀ ଅନୁରୂପ ଭାବେ ଝାମ୍ପ ମାରି ଜୀବନ ନେଇଥିଲା । ଦ୍ବିତୀୟ ମଣିଷ ଶିକାରକୁ ନେଇ ରାଜରାସ୍ତା ଅବରୋଧ କରିଥିଲେ ଓ ପୋଲିସ ସହ ଲୋକଙ୍କର ଖଣ୍ଡ ଯୁଦ୍ଧ ହୋଇଥିଲା । ଲୋକେ ପୋଲିସକୁ କେବଳ ‌ପଥରମାଡ଼ କରି ନଥିଲେ ବରଂ ତାଙ୍କ ‌ବସ୍‌କୁ ମଧ୍ୟ ଜାଳି ଦେଇଥିଲେ । ସୁନ୍ଦରୀର ଏପ୍ରକାରର କାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିଲା । ତାପରେ ପରେ ଅଣ୍ଡିରା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଉଭୟ ଏନ୍‌ଟିସିଏ ଓ ରାଜ୍ୟ ସରକାର ସୁନ୍ଦରୀକୁ ବନ୍ଦୀ କରିବା ପାଇଁ ଯୋଜନା କରିଥିଲେ । ବହୁ କଷ୍ଟରେ ସୁନ୍ଦରୀକୁ ଧରା ହୋଇ ରାଇଗୁଡ଼ା ଏନକ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା । ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପ୍ରକଳ୍ପ ଯୋଜନାକୁ ଏନ୍‌ଟିସିଏ ସ୍ଥଗିତ ରଖିଥିଲା । ସେବେଠାରୁ ବନ୍ଦୀ ଜୀବନ କାଟୁଥିଲା ସୁନ୍ଦରୀ ।