ପୁଣି ଫେରିଲା ‘ସୁନ୍ଦରୀ’ ଭୟ । ଆଠମଲ୍ଲିକ ବନାଂଚଳରେ ରେଞ୍ଜରଙ୍କ ସହ ବାଘୁଣୀ ମୁହାଁମୁହିଁ । ସ୍ଥାନୀୟ ଅଂଚଳରେ ଆତଙ୍କ

49

କନକ ବ୍ୟୁରୋ: ଗାଁ ମୁହାଁ ବାଘୁଣୀ । କ୍ୟାମେରାରେ କଏଦ୍ ହୋଇଛି ସୁନ୍ଦରୀ । ସାତକୋଶିଆରେ ମଣିଷ ଶିକାର କରି ଆତଙ୍କ ଖେଳାଇଥିବା ସୁନ୍ଦରୀକୁ ପୁଣିଥରେ ଦେଖିବାକୁ ମିଳିଛି । ଆଠମଲିକ ରେଂଜ୍ ଯଦୁପୁର ଗାଁରେ ଦେଖିବାକୁ ମିଳିଛି ବାଘୁଣୀକୁ । ସୁନ୍ଦରୀକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ବନବିଭାଗ ଗତକାଲି ସାମନାସାମନି ହୋଇଛି । ଆଠମଲିକ ବନାଂଚଳରେ ରେଂଜରଙ୍କ ଗାଡି ସାମନାରେ ଆସି ଯାଇଥିଲା ସୁନ୍ଦରୀ ।

ବାଘୁଣୀ ସହ ଜଙ୍ଗଲ ରାସ୍ତାରେ ମୁହାଁମୁହିଁ ହୋଇଥିଲେ ବନ କର୍ମଚାରୀ । ରେଂଜରଙ୍କ ଗାଡିକୁ ଦେଖି କିଛି ସମୟ ପାଇଁ ସାମନାରେ ଛିଡା ହୋଇ ରହିଥିଲା ସୁନ୍ଦରୀ । ପରେ ଧିରେ ଧିରେ ଆଗକୁ ଆଗକୁ ଚାଲିଥିଲା ଆଉ କ୍ୟାମେରାରେ ବାଘୁଣୀର ଚିତ୍ରକୁ କଏଦ୍ କରୁଥିବା ଅବସ୍ଥାରେ ରେଂଜରଙ୍କ ଗାଡି ପଛକୁ ପଛକୁ ଯାଉଥିଲା । କିଛି ସମୟ ଏମିତି ଆଗକୁ ଆସିବା ପରେ ହଠାତ୍ ପୁଣି ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଯାଇଥିଲା ସୁନ୍ଦରୀ । ଗତ ୪ ଦିନ ହେଲା ଆଠମଲିକ ବନଖଣ୍ଡ ଅଂଚଳରେ ଘୂରି ବୁଲୁଛି ବାଘୁଣୀ । ରଙ୍ଗପୁର ଗାଁ ନିକଟରେ କିଛି ଦିନ ରହିବା ପରେ ଏବେ ଯଦୁପୁରରେ ପହଁଚିଛି ।

ଫଳରେ ଯଦୁପୁର, ଖମ୍ବେଶ୍ୱରପାଲି, ସିଦ୍ଧପୁର ଇତ୍ୟାଦି ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । କିଛି ଦିନ ତଳେ ଏହି ଆଠମଲିକ ରେଂଜ୍ ଲେହେଡି ଗାଁରେ ପୁଣି ଏକ ଗାଈ ଶିକାର କରିବା ପରେ ବାଘୁଣୀକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ସହର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏବେ ପୁଣି ସୁନ୍ଦରୀକୁ ଠାବ କରାଯାଇଥିବା ବେଳେ ତାର ଗତିବିଧି ଉପରେ କଡା ନଜର ରଖିଛି ବନବିଭାଗ । ଅଭୟାରଣ୍ୟରୁ ବାହାରି ଜଙ୍ଗଲରେ ବୁଲୁଥିବାରୁ ପୁଣି ସୁନ୍ଦରୀକୁ ଅଭୟାରଣ୍ୟ ଭିତରକୁ ନେବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।