‘ସୁନ୍ଦରୀ’ କାହାର? ଓଡିଶାର ନା ମଧ୍ୟପ୍ରଦେଶର ? ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ । ସାତକୋଶିଆ ସ୍ଥିତି ସ୍ୱାଭାବିକ ନହେବା ଯାଏ ହେବନାହିଁ ବାଘ ସ୍ଥାନାନ୍ତରଣ ।

255

କନକ ବ୍ୟୁରୋ : କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ଏତେ ଛୋଟ ଏକକ୍ଲୋଜରରେ ରହିପାରିବନି ବାଘୁଣୀ । ତୁରନ୍ତ ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା ସେଂଟରରେ ଛଡାଯାଉ । ଜଙ୍ଗଲୀ ସ୍ୱଭାବ ଫେରେଇ ଆଣିବାକୁ ଚେଷ୍ଟା କରାଯାଉ ଓ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳରେ ଥଇଥାନ କରାଯାଉ ।

ସୁନ୍ଦରୀ କାହାର ? ଓଡିଶାର ନା ମଧ୍ୟପ୍ରଦେଶର ? ଦୁଇ ବର୍ଷ ତଳେ ସାତ କୋଶିଆରେ ଯେତେବେଳେ ଏହି ପିଞ୍ଜରା ଖୋଲା ଯାଇଥିଲା, ବାଘୁଣି ସୁନ୍ଦରୀ ଦୌଡି ଦୌଡି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ସେତେବେଳେ ବୋଧହୁଏ ସେ ଜାଣି ପାରି ନଥିଲା, ଏହି ପ୍ରଶ୍ନ ଦୁଇ ବର୍ଷ ପରେ ଉଠିବ ଯେ ସୁନ୍ଦରୀ କାହାର ?

ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଣୁଣାଣୀ କରି ବାଘୁଣୀ ସୁନ୍ଦରୀକୁ ତୁରନ୍ତ କାହ୍ନା ଅଭୟାରଣ୍ୟକୁ ଫେରେଇନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷଙ୍କ ନିୟମାବଳୀ ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟର ବିକାଶ ନହେବା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଇଛନ୍ତି ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ବାଘୁଣୀ ସୁନ୍ଦରୀ ପୁଣି ତାର ପ୍ରାକୃତିକ ଆବାସ ସ୍ଥଳକୁ ଫେରିବ କି ନାହିଁ ? ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗରେ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦୀ ଜୀବନଯାପନ କରୁଛି ବାନ୍ଧବଗଡରୁ ଆସିଥିବା ସୁନ୍ଦରୀ । ତେଣୁ ନିଜର ଜଙ୍ଗଲୀ ପ୍ରକୃତି ଫେରିପାରିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଅଧୀନରେ ୨୦୧୮ ଜୁନ ୨୮ରେ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା । କିନ୍ତୁ ଜୁଲାଇ ୬ ତାରିଖରେ ତାକୁ ଜଙ୍ଗଲରେ ଛଡା ଯାଇଥିଲା । ଅଳ୍ପ ଦିନ ଭିତରେ ମଣିଷ ମାରିବା ଅଭିଯୋଗରେ ନଭେମ୍ବର ୬ ତାରିଖରେ ପୁଣି ଥରେ ଏନକ୍ଲୋଜର ଭିତରକୁ ଚାଲିଆସିଥିଲା ସୁନ୍ଦରୀ । ଆବଶ୍ୟକତାଠାରୁ ଛୋଟ ସ୍ଥାନରେ ବନ୍ଦୀ ହୋଇ ରହିବା ଫଳରେ ଧୀରେ ଧୀରେ ତାର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।