ଶେଷରେ ଓଡିଶାରୁ ଫେରିଗଲା ସୁନ୍ଦରୀ : ଟ୍ରାଙ୍କୁଲାଇଜ୍ ପରେ କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ନେଲେ ମଧ୍ୟପ୍ରଦେଶର ଟିମ୍

ସାଙ୍ଗରେ ଗଲେ ସାତକୋଶିଆ ବନବିଭାଗର ଟିମ୍; ଅଢ଼େଇ ବର୍ଷ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

72

କନକ ବ୍ୟୁରୋ : ଶେଷରେ ସାତକୋଶିଆରୁ କାହ୍ନାକୁ ଫେରିଗଲା ସୁନ୍ଦରୀ । ମହାବଳ ବାଘଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ସାତକୋଶିଆକୁ ଆସିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଓଡିଶାରୁ ମଧ୍ୟପ୍ରଦେଶ ନିଆଯାଉଛି । ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ କାବୁ କରାଯାଇଛି ।

ପ୍ରଥମେ ତାକୁ ଜନ୍ତାରେ ଧରିବା ପାଇଁ ବନ କର୍ମଚାରୀ ଉଦ୍ୟମ କରିଥିଲେ । କିନ୍ତୁ ଜନ୍ତା ପାଖକୁ ଆସିନଥିଲା ବାଘୁଣୀ । ଶେଷରେ ବାଧ୍ୟ ହୋଇ ୩ ଜଣିଆ ଡାକ୍ତରୀ ଟିମ୍ ତାକୁ ଟ୍ରାଙ୍କୁଲାଇଜ୍ କରିଥିଲେ ବୋଲି ସୂଚନା ଦେଇଛନ୍ତି ଆରସିସିଏଫ ପ୍ରଦୀପ କାରାଟେ । ଟ୍ରାଙ୍କୁଲାଇଜ୍ କରାଯିବାର ୧୫ ମିନିଟ୍ ପରେ ସୁନ୍ଦରୀର ଚେତା ଫେରିଥିଲା । ବାଘୁଣୀର ଓଜନ କରାଯାଇଛି, ବର୍ତ୍ତମାନ ତାର ଓଜନ ୧୬୦ କିଲୋଗ୍ରାମ ରହିଛି । ଜନ୍ତା ଭିତରେ ସୁନ୍ଦରୀକୁ ଶିକାର ଦିଆଯାଇଛି ।

ମଙ୍ଗଳବାର ଏକ ସ୍ୱତନ୍ତ୍ର ଗାଡିରେ ବାଘୁଣୀକୁ ସାତକୋଶିଆରୁ ମଧ୍ୟପ୍ରଦେଶ କାହ୍ନା ଅଭିମୁଖେ ନିଆଯାଇଛି । ବୁଧବାର ସୁଦ୍ଧା ସେ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାରେ ପହଂଚି ଯିବ ବୋଲି ସୂଚନା ମିଳିଛି । ସାତକୋଶିଆରେ ରହିବା ବେଳେ ସୁନ୍ଦରୀ ଦୁଇ ଦୁଇ ଥର ମଣିଷ ଶିକାର କରିଥିଲା । ଯାହାକୁ ନେଇ ଅଭୟାରଣ୍ୟରେ ରହୁଥିବା ବନବାସୀ ରାଗି ଯାଇଥିଲେ । ଅଭୟାରଣ୍ୟ ଭିତରେ ପୋଡାଜଳା କରିଥିଲେ । ଏହାରି ଭିତରେ ମହାବଳ ମହାବୀରର ମଧ୍ୟ ମୃତ୍ୟୁ ହୋଇସାରିଛି । ସୁନ୍ଦରୀକୁ ସାତକୋଶିଆର ରାଇଗୁଡାରେ ହୋଇଥିବା ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ରଖାଯାଇଥିଲା । ଏବଂ ମହାବଳ ବଂଶବୃଦ୍ଧି ପ୍ରକଳ୍ପ ଯୋଜନାକୁ ସ୍ଥଗିତ ରଖିଥିଲା ଏନଟିସିଏ ।