ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ସାତକୋଶିଆରୁ ସ୍ଥାନାନ୍ତର ହେବନି ବାଘୁଣୀ ‘ସୁନ୍ଦରୀ’

ଏବେ ଓଡିଶାରେ ରହିବ ‘ସୁନ୍ଦରୀ’ । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରେ ଅଛନ୍ତି ଆଉ ୨ଟି ବାଘ । ଦୁଇ ବାଘଙ୍କ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ବାଘୁଣୀ’କୁ କରାଯିବ ସ୍ଥାନାନ୍ତର

କନକ ବ୍ୟୁରୋ: ସାତକୋଶିଆରେ ବ୍ୟାଘ୍ର୍ର ସମ୍ପ୍ରସାରଣ ଏକ ବଡ଼ ପ୍ରକଳ୍ପ। ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତର କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଯୋଜନା। ତାହାକୁ ଅଧାରୁ ବନ୍ଦ କରିବା ସମ୍ଭବ ନୁହେଁ। ତେଣୁ ସାତକୋଶିଆରୁ ‘ସୁନ୍ଦରୀ’ ସ୍ଥାନାନ୍ତର ହେବନି। ସେଠାରେ ହିଁ ରହିବ। ଏହାର ବିକଳ୍ପ ବ୍ୟବସ୍ଥା ନେଇ ଚିନ୍ତା କରାଯାଉଛି ବୋଲି ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବିଶେଷଜ୍ଞ ଦଳ ମତପ୍ରକାଶ କରିଛନ୍ତି। ଫଳରେ ୫ ଦିନ ହେଲା ‘ସୁନ୍ଦରୀ’ ବାନ୍ଧବଗଡ଼ ଫେରିଯିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ବିଶେଷଜ୍ଞ ଦଳର କହିବା କଥା ହେଲା ପ୍ରକଳ୍ପକୁ ବନ୍ଦ କରିବା ସମ୍ଭବପର ନୁହେଁ। ତେଣୁ ସାତକୋଶିଆବାସୀଙ୍କୁ କିଭଳି ଏହି ପ୍ରକଳ୍ପ ସହ ଯୋଡ଼ାଯାଇ ପାରିବ ସେନେଇ ଆଲୋଚନା ଚାଲିଛି। ପ୍ରକଳ୍ପ ସମ୍ପର୍କରେ ପ୍ରଥମେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନ କରାଯିବ। ମଧ୍ୟପ୍ରଦେଶର କାହ୍ନା, ବାନ୍ଧବଗଡ଼ ପରି ଅଭୟାରଣ୍ୟରେ କିଭଳି ବାଘ ଓ ମଣିଷ ନିଦ୍ୱନ୍ଦ୍ୱରେ ବିଚରଣ କରୁଛନ୍ତି ସେଠାକୁ ସାତକୋଶିଆବାସୀଙ୍କୁ ବୁଲାଇବାକୁ ନିଆଯିବ। ଯେହେତୁ ପୂର୍ବରୁ ସାତକୋଶିଆରେ ବାଘ ରହୁଥିଲେ ତେଣୁ କୌଣସି ଅସୁବିଧା ହେବ ନାହିଁ। ଏହି ଅଭୟାରଣ୍ୟରେ ବାଘ-ମଣିଷ ବିନା ଦ୍ୱନ୍ଦ୍ୱରେ ଚଳପ୍ର୍ରଚଳ କରିପାରିବେ।

ଅନ୍ୟପକ୍ଷରେ ‘ସୁନ୍ଦରୀ’ର ଚଳପ୍ରଚଳ ଉପରେ କଡ଼ା ନଜର ରଖାଯାଇଛି। ୩ଟି ବିଶେଷଜ୍ଞ ଟିମ୍‌ ତାହାର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି। ୪ ଦିନ ହେଲା ଜନବସତୀ ନିକଟରେ ‘ସୁନ୍ଦରୀ’କୁ ଦେଖିବାକୁ ମିଳିନି। ତେଣୁ ଲୋକେ ଭୟଭିତ ହେବାର କୌଣସି କାରଣ ନାହିଁ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, ‘ସୁନ୍ଦରୀ’ର ଗତିବିଧି ଉପରେ ବିଶେଷଜ୍ଞ ଦଳ ଅନୁଧ୍ୟାନ କରୁଛନ୍ତି। ସେମାନେ ରିପୋର୍ଟ ଦେବା ପରେ ତାହାକୁ ଆଧାର କରି ଆମେ ପଦକ୍ଷେପ ନେବୁ।

ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୃତ ମହିଳାଙ୍କ ପୋଷ୍ଟମଟର୍ମ ରିପୋର୍ଟ  ଆସିଛି। ସେଥିରେ ବାଘୁଣୀ ମାରିଥିବା ନେଇ କୌଣସି ଠୋସ୍‌ ପ୍ରମାଣ ମିଳିନି। ଅନ୍ୟ ଜୀବଜନ୍ତୁ ଆକ୍ରମଣ କରି ଥାଇପାରନ୍ତି। ଏବେ ତାହା ଉପରେ ଅଧିକ ଅନୁଧ୍ୟାନ କରାଯାଉଛି। ବନ୍ୟପ୍ରାଣୀ ପ୍ରତିଷ୍ଠାନର ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯିବ। ଆସନ୍ତା ୨୨ ତାରିଖ ବେଳକୁ ବନ ବିଭାଗ, ବିଶେଷଜ୍ଞ ଦଳ, ସ୍ଥାନୀୟ ପ୍ରଶାସନ ଓ ସଙ୍ଗଠନକୁ ନେଇ ଏକ ବୈଠକ କରିବାକୁ ଯୋଜନା ହୋଇଛି।

ସୂଚନାଯୋଗ୍ୟ ଯେ, ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରେ କୁହାଯାଇଛି ଯେ ମହିଳାଙ୍କ ମୃତ୍ୟୁ ମାଂସାସୀ ହିଂସ୍ରଜନ୍ତୁ ଆକ୍ରମଣରେ ହୋଇଛି। ରିପୋର୍ଟରେ ମହିଳାଙ୍କ ଶଙ୍ଖ ନଳାକୁ ହିଂସ୍ରଜନ୍ତୁ ୭ଥର କାମୁଡ଼ିଥିବା ଏବଂ ପୁଳାଏ ମାଂସ ଖାଇଥିବା ଦର୍ଶାଯାଇଛି। ଯଦିଓ ବାଘୁଣୀ ‘ସୁନ୍ଦରୀ’ ମହିଳାଙ୍କୁ ମାରିଛି ବୋଲି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ଯେ ‘ସୁନ୍ଦରୀ’ ହିଁ ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe