ଭୟ ବଢାଉଛି ବାଘୁଣୀ, ‘ସୁନ୍ଦରୀ’ ପାଇଁ ରାତି ଅନିଦ୍ରା ! ମିଳୁନି ବାଘୁଣୀର ଠିକଣା, ଡେରାଡୁନରୁ ଆଜି ପହଞ୍ଚିଲା ବିଶେଷଜ୍ଞ ଦଳ ।

57

କନକ ବ୍ୟୁରୋ : ନିଦ ହଜାଇ ଦେଇଛି ସାତକୋଶିଆର ସୁନ୍ଦରୀ । ଗୋଟିଏ ପଟେ ବାଘୁଣୀକୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଛି ବନବିଭାଗ । ଅନ୍ୟପଟେ ବିପ୍ରଡିହ ଗାଁରେ ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଗାଈଗୋରୁ କ୍ଷତବିକ୍ଷତ ହୋଇଥିବା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି କି ବନ ବିଭାଗ କର୍ମଚାରୀଙ୍କ ଆଖି ସାମ୍ନାରେ ଗୋରୁ ଶିକାର କରିଛି ସୁନ୍ଦରୀ । ଗତକାଲି ବନ ବିଭାଗ କହୁଥିଲା, ପୁରୁଣାକୋର୍ଟ ରେଞ୍ଜର ୬ କିଲୋମିଟର ଭିତରେ ରହିଛି ସୁନ୍ଦରୀ । ହେଲେ ଆଜି ଜଣାପଡୁଛି ଏହା ଟିକରପଡ଼ାଠାରୁ ଶହେ କିଲୋମିଟର ଦୂର ଅତିକ୍ରମ କରିସାରିଛି । ଆଉ ସାତକୋଶିଆରେ ବାଘ ଖୋଜା ଭିତରେ ଆଜି ଡେରାଡୁନରୁ ଆସି ପହଂଚିଛି ଏକ ବିଶେଷଜ୍ଞ ଦଳ ।

‘ମୁଁ ଦେଖିଛି ବାଘ’ । ଆଖି ସାମ୍ନାରେ ଗୋରୁ ଶିକାର । ଅନୁଗୁଳ ଜିଲ୍ଲାର ବିପ୍ରଡିହ ଗାଁରୁ ଆସିଥିବା ଏହି ବୟାନ ଏବଂ କ୍ଷତବିକ୍ଷତ ହୋଇଥିବା ଗୋରୁ ହିଁ ପ୍ରମାଣ କରୁଛି ଯେ, ସୁନ୍ଦରୀ ବାଘୁଣୀ ଆଉ ପୁରୁଣା କୋର୍ଟ ରେଞ୍ଜ ଅଂଚଳରେ ନାହିଁ । ବରଂ ଟିକରପଡ଼ାରୁ ପ୍ରାୟ ଶହେ କିଲୋମିଟର ଦୂରକୁ ଚାଲିଗଲାଣି ବାଘୁଣୀ । ବନ ବିଭାଗ ଯେଉଁ ‘ରେଡିଓ କଲାର’ର ସହାୟତାରେ ଦାବି କରୁଥିଲା ଯେ, ସୁନ୍ଦରୀ ୬ କିଲୋମିଟର ଭିତରେ ରହିଛି, ସେହି ଦୃଢ଼ୋକ୍ତିକୁ ଭୁଲ ପ୍ରମାଣିତ କରିଦେଇଛି ବିପ୍ରଡିହ ଗାଁର ଚିତ୍ର ।

ଆମ ପ୍ରତିନିଧି ବିପ୍ରଡିହ ଗାଁକୁ ପହଂଚିଲା ବେଳକୁ ମହିଳାମାନେ ହାତରେ ଠେଙ୍ଗାବାଡ଼ି ଧରି ଆଗକୁ ମାଡ଼ି ଚାଲିଥିଲେ । ପଚାରିବାରୁ ଜଣାପଡ଼ିଲା, ସୁନ୍ଦରୀ ବାଘ ଗତକାଲି ଗାଁର ଗୋରୁପଲ ଉପରେ ଆକ୍ରମଣ କରିଛି । ଯେଉଁଥିରେ ଗୋଟିଏ ବାଛୁରୀ ପ୍ରାଣ ହରାଇଥିବା ବେଳେ କିଛି ଗାଈବଳଦ ଆହତ ହୋଇଛନ୍ତି । ଏଭଳି ସ୍ଥିତିରେ ନିଜ ସୁରକ୍ଷା ନିଜ ହାତକୁ ନେଇଛନ୍ତି ଗାଁ ଲୋକ । ବାଘ ଭୟରେ ଘରେ ନା’ ଚୁଲି ଜଳୁଛି ନା’ ଆଖିକୁ ନିଦ ଆସୁଛି । କୁନି କୁନି ପିଲା ସ୍କୁଲ ଯାଉନାହାନ୍ତି, ସୁନ୍ଦରୀ ଆତଙ୍କ ଯୋଗୁଁ ଗାଁକୁ ଶିକ୍ଷକ ମଧ୍ୟ ଆସୁ ନାହାଁନ୍ତି । ଫଳରେ ସ୍କୁଲ ବନ୍ଦ ପଡ଼ିଛି । ଗାଈଗୋରୁ ଉପରେ ବାଘ ଆକ୍ରମଣ ନିଜ ଆଖିରେ କିଛି ଲୋକ ଦେଖିବା ପରେ ଗାଁରେ ସ୍ଥିତି ଆହୁରୀ ସଂଗୀନ ହୋଇଯାଇଛି ।