କନକ ବ୍ୟୁରୋ : ଛୁଆର ଯତ୍ନ ନେବାକୁ ଅମଙ୍ଗ ହେଉଛି ମାଆ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଧଳା ବାଘୁଣୀ ରୂପା ତିନି ବାଘ ଛୁଆ ଜନ୍ମ ଦେବା ପରେ ଏପରି ଆଚରଣ କରୁଛି । ତେଣୁ ତିନି ବାଘ ଛୁଆଙ୍କ ଲାଳନ ପାଳନ ଦାୟିତ୍ୱ ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପରେ ପଡିଛି । ସେପଟେ ବିଶେଷଜ୍ଞ କହୁଛନ୍ତି, ପ୍ରଜନନ ସମୟ ପୂର୍ବରୁ ରୁପା ମାଆ ହୋଇଥିବାରୁ ଛୁଆଙ୍କ ଯତ୍ନ ନେବାକୁ ରାଜି ହେଉ ନାହିଁ ।

Advertisment

ମହାବଳ ଶାବକକୁ ମା’ର ସ୍ନେହ ଦେଉଛନ୍ତି କର୍ମଚାରୀ । ଛୋଟ ପିଲା ପରି ବୋତଲ ଦ୍ୱାରା କ୍ଷୀରପାନ କରାଉଛନ୍ତି କେୟାର ଟେକର । ଏ ଘଟଣା ହେଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର । ଶୁକ୍ରବାର ସକାଳେ ଧଳା ବାଘୁଣୀ ରୂପା ଠାରୁ ଜନ୍ମଲାଭ କରିଥିବା ତିନି ବାଘ ଛୁଆଙ୍କ ଲାଳନ ପାଳନ ଦାୟିତ୍ୱ ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପରେ । କାରଣ ମା ରୂପା ସେମାନଙ୍କ ଯତ୍ନ ନେବାକୁ ଅମଙ୍ଗ ।

ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ବାଘୁଣୀ ରୂପା ପ୍ରଜନନ ସମୟ ପୂର୍ବରୁ ମାଆ ହୋଇଥିବାରୁ ଏମିତି ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରୁଛି । ସାଧାରଣତଃ ବାଘୁଣୀ ୪ ବର୍ଷ ବୟସ ପରେ ମା ହେବାକୁ ଯୋଗ୍ୟ ହେଉଥିବା ବେଳେ, ରୂପା ଯଥେଷ୍ଟ ପୂର୍ବରୁ ଏହି ଶାବକ ଜନ୍ମ କରିଛି ।

ନନ୍ଦନକାନନର ୨୮ ନମ୍ବର ଖୁଆଡରେ ନାଲି ବାଘୁଣୀ ରୂପା ସହ ବାଘ ରାଜେଶର ମିଳନ ହୋଇଥିବା ଅନୁମାନ କରୁଛନ୍ତି କର୍ତ୍ତୃପକ୍ଷ । ଫଳରେ ରୂପା ଶୁକ୍ରବାର ତିନିଟି ଶାବକ ଜନ୍ମ କରିଛି । ଏହି ତିନି ଛୁଆଙ୍କ ମଧ୍ୟରେ ଦୁଇଟି ଧଳା ରଙ୍ଗର ହୋଇଥିବା ବେଳେ ଗୋଟିଏ ସାଧାରଣ ରଙ୍ଗର ରହିଛି । ନନ୍ଦନକାନନରେ ଏହି ତିନି ବାଘ ଶାବକ ଜନ୍ମ ନେବା ପରେ ଚିଡିଆଖାନାର ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏ ମଧ୍ୟରୁ ୧୬ଟି ପୁରୁଷ ୧୦ଟି ବାଘୁଣୀ ଅଛନ୍ତି । ୩ଟି ବାଘର ଲିଙ୍ଗ ନିରୂପଣ ହୋଇପାରିନାହିଁ ।