ବାବ୍ରି ମସିଜିଦ୍ ଧ୍ୱଂସ ବାର୍ଷିକୀ । ଉତ୍ତରପ୍ରଦେଶରେ କଡା ପହରା ।

140

କନକ ବ୍ୟୁରୋ: ଆଜି ହେଉଛି ବାବ୍ରି ମସଜିଦ୍ ଧ୍ୱଂସ ବାର୍ଷିକୀ । ଏଥିପାଇଁ ରାଜ୍ୟରେ କୌଣସି ଦଙ୍ଗା ପରିସ୍ଥିତି ସୃଷ୍ଟିି ହେବା ଆଶଙ୍କାକୁ ନେଇ ଉତ୍ତରପ୍ରଦେଶରେ କଡା ସୁରକ୍ଷା ଲାଗୁ ହୋଇଛି । ରାଜ୍ୟରେ ତଥା ବାରାଣାସୀ, ମଥୁରା ଓ ଅଯୋଧ୍ୟାରେ କଡା ପହରା ଦେଖିବାକୁ ମିଳିଛି । ବାବ୍ରି ମସଜିଦ୍ ଧ୍ୱଂସ ପ୍ରସଙ୍ଗକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିବାକୁ ୬ଟି ସଙ୍ଗଠନ ପୂର୍ବରୁ ଯୋଜନା କରୁଥିଲେ ବି ସରକାର ସେମାନଙ୍କ ସହ ଆପୋଷ ଆଲୋଚନା କରି ପରିସ୍ଥିତିକୁ ଶାନ୍ତ ରଖିଥିବା ସୂଚନା ରହିଛି ।

ସମଗ୍ର ଉତ୍ତର ପ୍ରଦେଶରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଆଇନ-ଶୃଙ୍ଖଳା ବିଭାଗର ‘ଏଡିଜି’ ପ୍ରଶାନ୍ତ କୁମାର କହିଛନ୍ତି, ସମଗ୍ର ରାଜ୍ୟରେ ୧୫୦ କମ୍ପାନି ‘ପିଏସି’ ଏବଂ ୬ କମ୍ପାନି ‘କେନ୍ଦ୍ରୀୟ ପାରା ମିଲିଟାରି ଫୋର୍ସ’ ମୁତୟନ କରାଯାଇଛି। ଅତୀତରୁ ଅନୁଷ୍ଠିତ ହୋଇ ଆସୁଥିବା କାର୍ୟ୍ୟକ୍ରମକୁ ବାଦ୍‌ ଦେଇ କୌଣସି ନୂଆ କାର୍ୟ୍ୟକ୍ରମ ଆୟୋଜନ କରିବା ଲାଗି ଅନୁମତି ନ ଦେବାକୁ ରାଜ୍ୟ ଗୃହ ବିଭାଗ ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ନିର୍ଦେଶ ଦେଇଛି। ନିୟମିତ ନିରାପତ୍ତା ଡ୍ରିଲ୍‌ କରିବା ଏବଂ ସମସ୍ତ ବସ୍‌ ଷ୍ଟପ୍‌, ରେଳ ଷ୍ଟେସନ୍‌ ଏବଂ ଜିଲ୍ଲା ସୀମାନ୍ତରେ ଯାଞ୍ଚ ହେଉଛି । ବିଶେଷ କରି ଅତି ସମ୍ବେଦନଶୀଳ ସ୍ଥାନ ଗୁଡିକରେ କଡା ନର ରଖିଛି ପୋଲିସ ।