କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ୪ବର୍ଷର ହିସାବ ଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଶେଷ କରିଛି କମିଶନରେଟ ପୋଲିସ । ସଭାସ୍ଥଳ କିଲ୍ଲା ପଡିଆରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିବ ପୁରା ସଭାସ୍ଥଳ । ସଭାସ୍ଥଳ ଓ ଏହାର ଆଖପାଖରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ସହ ରହିବେ ଟାକ୍ଟିକାଲ ୟୁନିଟ୍, ବୋମା ନିସ୍କ୍ରିୟକାରୀ ଦଳ, କୁଇକ୍ ଆକ୍ସନ ଟିମ୍ । ଏଥିସହ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ରହିବେ ୩ଜଣ ବରିଷ୍ଠ ଆଇପିଏସ ଅଧିକାରୀ । ଭୁବନେଶ୍ୱରରେ ମୋଦି ପହଂଚିବା ପରେ ହେଲିକପ୍ଟରରେ କଟକ ଯିବେ । ମୋଦିଙ୍କ ଗସ୍ତ ପୂର୍ବରୁ ପୋଲିସ ଡିଜି ସମାବେଶ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ।
ସେହିପରି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପାଣି ବୋତଲ, ହ୍ୟାଣ୍ଡ ବ୍ୟାଗ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସଭାସ୍ଥଳ ଭିତରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବା ପାଇଁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯାଇଛି। ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ୪ଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କଣ୍ଟୋଲରୁମରୁ କ୍ୟାମେରା ସଭାମଞ୍ଚ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଗତକାଲି ଅପରାହ୍ନରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ୧୬ ନମ୍ବର ଜାତୀୟ ରାଜପଥରେ ମକଡ୍ରିଲ୍ କରାଯାଇଥିଲା। ଏଥିରେ ପ୍ରଧନମନ୍ତ୍ରୀଙ୍କ କାରକେଡର ୨୨ଟି ଗାଡ଼ି ସାମିଲ ହୋଇଥିଲା । ପରେ ବାଲିଯାତ୍ରା ତଳ ପଡ଼ିଆରୁ ଉପର ପଡ଼ିଆ ପର୍ୟ୍ୟନ୍ତ ଆଉ ଏକ ମକଡ୍ରିଲ୍ କରାଯାଇଥିଲା। ଅନ୍ୟପଟେ କମିସନରେଟ୍ ପୁଲିସ ପକ୍ଷରୁ ବାରବାଟି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ସମୀକ୍ଷା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ୬୧ ପ୍ଲାଟୁନ୍ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୦ ପ୍ଲାଟୁନ୍ ଫୋର୍ସ ପ୍ରସ୍ତୁତ କରି ରଖାଯାଇଛି। ଏହା ବାଦ୍ ୫ଟି ସ୍ପେଶାଲ ଟାକଟିକାଲ୍ ଟିମ୍, ୫ଟି ବୋମା ନିଷ୍କ୍ରିୟକାରୀ ଟିମ୍, ୫ଟି ସ୍ପେଶାଲ ଆକ୍ସନ୍ ଫୋର୍ସ, ୨ଟି ଓଡ୍ରାଫ୍ ଟିମ୍, ୫ଟି ସ୍ପେଶାଲ ଆକ୍ସନ ଫୋର୍ସଙ୍କୁ ଆଜି ପାଇଁ ନିଯୁକ୍ତ କରାଯାଇଛି। ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୩ ଜଣ ଆଇପିଏସ୍ ଏବଂ ୪ ଜଣ କମାଣ୍ଡାଣ୍ଟ ଦାୟିତ୍ୱରେ ରହିବେ।
ସଭାସ୍ଥଳ ଚାରିପଟେ ତ୍ରିସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୋଟ ୧୨ଟି ପ୍ରବେଶ ପଥ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି, ମହିଳା, ସାଧାରଣ ଲୋକ ଏବଂ ଭିଆଇପିଙ୍କ ପୃଥକ୍ ପ୍ରବେଶ ପଥ କରାଯାଇଛି। ଭିତରକୁ ପାଣି ବୋତଲ ନେବା ନିଷିଦ୍ଧ ହୋଇଥିବାବେଳେ ଏକ ଘରୋଇ ସଂସ୍ଥା ଦ୍ୱାରା ପାଣି ବଣ୍ଟାଯିବ। ନରାଜସ୍ଥିତ ଆଇବି ଏବଂ ହାଇକୋର୍ଟର ଗେଷ୍ଟ ହାଉସକୁ ‘ସେଫ ହାଉସ୍’ ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ସଭାସ୍ଥଳରେ କୌଣସି ଅଘଟଣ କିମ୍ବା ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ଉକ୍ତ ସ୍ଥାନକୁ ସୁରକ୍ଷିତ ଭାବେ ନିଆଯିବା ସମ୍ପର୍କରେ ଗତକାଲି କମିସନରେଟ୍ ପୁଲିସ ବୈଠକରେ ନିଷ୍ପତ୍ତି ହୋଇଛି। ଆଜି ଦିନ ୧ଟାରୁ ସମାବେଶ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୪ଟାରେ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ହେଲିକପ୍ଟର ଜଗିବ ୩ ଅଗ୍ନିଶମ ଗାଡ଼ି
ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଲିଯାତ୍ରା ଉପର ପଡ଼ିଆରେ ୪ଟି ଅଗ୍ନିଶମ ଗାଡ଼ି ସଜାଗ ରହିବ। ଏଥିରେ ଅଫିସର ଏବଂ କର୍ମଚାରୀଙ୍କୁ ମିଶାଇ ୨୪ ଜଣ ନିଯୁକ୍ତ ହେବେ। ତଳ ପଡ଼ିଆରେ ହେଲିପ୍ୟାଡ୍ ନିକଟରେ ୩ଟି ଗାଡ଼ି ରହିବ। ଜଣେ ଅଫିସରଙ୍କ ନେତୃତ୍ୱରେ ୧୦ କର୍ମଚାରୀ ରହିବେ। କୌଣସି ଅଘଟଣକୁ ଏଡ଼ାଇବାକୁ ହେଲିକପ୍ଟର ଉପରେ ସତର୍କ ନଜର ରଖିବେ। ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାକୁ ପ୍ରସ୍ତୁତ ମଞ୍ଚ ଉପରେ ୩ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଫାୟାର ଏକ୍ସଟିଙ୍ଗ୍ୟୁସର୍ ସହିତ ସଜାଗ ରହିବ। ଉପର ପଡ଼ିଆରେ ଅଗ୍ନିଶମ ବିଭାଗର ଚାରିଟି ଷ୍ଟଲ୍ ଖୋଲିବ। ୬ ଜଣ ଲେଖାଏ କରି ୨୪ ଜଣ ଅଫିସର ଓ କର୍ମଚାରୀ ନିଯୁକ୍ତ ହେବେ। ସେମାନେ ଏକ୍ସଟିଙ୍ଗ୍ୟୁସର ସମେତ ଅନ୍ୟାନ୍ୟ ଅଗ୍ନି ନିରାପତ୍ତା ସାମଗ୍ରୀ ମହଜୁଦ ରଖିବେ। ଅଗ୍ନିଶମ ବିଭାଗର ମୋଟ ୧୧୦ ଜଣ କର୍ମଚାରୀ ନିଯୁକ୍ତ ହେବେ। କଟକ ବାଦ୍ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଆଠଗଡ଼ର ବିଭିନ୍ନ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛି। ପୂରା ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଗ୍ନିଶମ ବିଭାଗର ଆଇଜି ରାଜେଶ କୁମାର ନିୟନ୍ତ୍ରଣ କରୁଛନ୍ତି।
ମୋଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟ ବିଜେପିର ଗୁଆ ନିମନ୍ତ୍ରଣ
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜ୍ୟ ବିଜେପିର ଗୁଆ ନିମନ୍ତ୍ରଣ । ହଳଦି, ଅରୁଆ ଚାଉଳ ସହିତ ନିମନ୍ତ୍ରଣ ପତ୍ର ଧରି ପହଂଚିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ଉଦ୍ଦେଶ୍ୟ, ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବାକୁ ନିମନ୍ତ୍ରଣ କରିବା । କେନ୍ଦ୍ରରେ ମୋଦି ସରକାରଙ୍କ ୪ବର୍ଷ ଶାସନରେ ଓଡିଶା ବିକାଶର ଚିତ୍ର ଦେବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ । କିଭଳି ଅଧିକରୁ ଅଧିକ ଲୋକ, ମୋଦିଙ୍କ ଏହି ଜନ କଲ୍ୟାଣ ସଭାରେ ଯୋଗଦେବେ, ସେଥିଲାଗି ଏଭଳି ଅଭିନବ ଉପାୟରେ ଆମନ୍ତ୍ରଣ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ । ଯାହା ରାଜ୍ୟ ରାଜନୀତିରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Modi.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-26-at-8.10.37-AM-300x205.png)
/kanak/media/post_attachments/wp-content/uploads/2018/05/Screen-shot-2018-05-26-at-8.11.20-AM-300x192.png)
/kanak/media/post_attachments/wp-content/uploads/2018/05/Screen-shot-2018-05-26-at-8.27.05-AM-300x220.png)
/kanak/media/post_attachments/wp-content/uploads/2018/05/Screen-shot-2018-05-26-at-8.27.12-AM-300x203.png)