କନକ ବ୍ୟୁରୋ: ରଥଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ।

Advertisment

ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ପୋଲିସ ଏଡିଜି ଅମିତାଭ୍ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜନଗହଳି ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଘୋଷଯାତ୍ରା ସମୟରେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ ଏବଂ ବ୍ରହ୍ମଗିରିରୁ ପୁରୀ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଯେଭଳି କୌଣସି ଅସୁବିଧା ନହେବ ଏବଂ କେଉଁ ସ୍ଥାନରେ ନିଜ ନିଜ ଗାଡ଼ି ପାର୍କିଂ କରିପାରିବେ, ସେନେଇ ଏକ ଭିଡିଓ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି କହିଛନ୍ତି ଏଡିଜି ।

କେବଳ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ୱ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଂଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି । ବୈଠକରେ କେନ୍ଦ୍ରାଂଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ୱର ସିଂଙ୍କ ସହ ଜଗତସିଂହପୁର ଓ ପୁରୀ ଏସପି ଉପସ୍ଥିତ ଥିଲେ ।