ନନ୍ଦନକାନନରେ ବାଘର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ମଣିଷଖିଆ କଲରାପତରିଆ ବାଘର ପ୍ରେମରେ ପଡିଛନ୍ତି ଦୁଇ ବାଘୁଣି ଅଞ୍ଜୁ ଓ ଅନିତା । ଖୁଆଡରେ ବୁଲୁଥିବା ଏହି କଲରାପତରିଆଟି ସେହି ବାଘ, ଯିଏ ୨୦୧୭ରେ ନୂଆପଡା ଜିଲ୍ଲାରେ ମଣିଷ ଖାଇ ଚର୍ଚ୍ଚାକୁ ଆସିଥିଲା । ଖରିଆର ବନଖଣ୍ଡର ହଳଦିଆ ଗାଁରୁ ଜଣକ ଘରୁ ମାଆ କୋଳରୁ ଶିଶୁକନ୍ୟାକୁ ଝାମ୍ପି ନେବାପରେ ସେଠାରେ କୋକୁଆ ଭୟ ଖେଳିଯାଇଥିଲା । ପରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ମାରି ଦେଇଥିଲା । ଏହି କୁଖ୍ୟାତ କଲରାପତରିଆ ବାଘଟି ଏବେ ନନ୍ଦନକାନନ ଚିଡିଆଖାନାରେ ରହିଛି ।

Advertisment

୯୨ ନମ୍ବର ଖୁଆଡରେ ବାଘଟି ରହୁଥିବାବେଳେ ୯୧ ନମ୍ବର ଖୁଆଡରେ ଥିବା ଦୁଇ ବାଘୁଣୀ ତାର ନିକଟତର ହେଉଛନ୍ତି । ଏବେ ବାଘମାନଙ୍କର ମିଳନର ରୁତୁ । ତେଣୁ ୧୩ ବର୍ଷର ଏହି ବାଘଟି ପାଖ ଖୁଆଡରେ ରହୁଥିବା ଦୁଇ ବୟସ୍କ ବାଘୁଣୀଙ୍କ ପ୍ରତି ଏବେ ଆକର୍ଷିତ ହୋଇଛି । ବାଘୁଣୀ ଅନୀତାକୁ ୧୮ ବର୍ଷ ଓ ମଞ୍ଜୁକୁ ୧୬ ବର୍ଷ ବୋଲି ନନନ୍ଦକାନନ କର୍ତୃପକ୍ଷ କହିଛନ୍ତି । ସେମାନଙ୍କ କହିବା ହେଲା ଦୁଇ ବାଘୁଣୀ ଏବେ ଖୁଆଡ ମଝିରେ ଥିବା ତାରଜାଲି ପାଖ ଛାଡୁ ନାହାନ୍ତି । ବାଘଙ୍କ ଏହି ଆଚରଣ ଦେଖିବା ପରେ ନନ୍ଦନକାନନ କର୍ତୃପକ୍ଷ ଏମାନଙ୍କ ମିଳନ କରାଇବାକୁ ଚାହୁଁଛନ୍ତି । ଏବଂ ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷଙ୍କୁ ଅନୁମତିକୁ ଅପେକ୍ଷା କରିଛନ୍ତି ।

ଏବେ ନନ୍ଦନକାନନରେ ୪ଟି ଅଣ୍ଡିରା ଓ ୩ଟି ମାଈଙ୍କୁ ମିଶାଇ ମୋଟ ୭ଟି କଲରାପତରିଆ ବାଘ ଅଛନ୍ତି । ୨୦୧୭ ମସିହାରେ ନୂଆପଡ଼ା ଖରିଆର୍ ବନଖଣ୍ଡରୁ ଧରା ହୋଇଥିବା ଦୁଇ ଅଣ୍ଡିରାଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ବୁଢ଼ାବୁଢ଼ୀ ହେବାକୁ ବସିଲେଣି । ତେଣୁ ଏବେଠୁ ସେମାନଙ୍କୁ ମିଳନ ସୁଯୋଗ ଦିଆନଗଲେ ବଂଶ ବୃଦ୍ଧି ସୁଯୋଗ ହାତଛଡା ହେବ ବୋଲି ବିଭାଗୀୟ ଅଧିକାରୀମାନେ ଅନୁମାନ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ନନ୍ଦନକାନନରେ କଲରାପତରିଆ ବାଘ ବଂଶ ବୃଦ୍ଧିର ଶେଷ ଆଶା ଏବେ ମଞ୍ଜୁ ଓ ଅନିତା । ସେହିଭଳି ନୂଆପଡ଼ାରୁ ଧରା ଯାଇଥିବା ଦୁଇ ଅଣ୍ଡିରା କଲରାପତରିଆ ବାଘ ବି ଏଥିପାଇଁ ଯୋଗ୍ୟ । ତେଣୁ ଦିଲ୍ଲୀ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୬ରେ ନୂଆପଡ଼ା ଖରିଆର ବନଖଣ୍ଡରୁ ଅଣ୍ଡିରା କଲରାପତରିଆକୁ ଧରାଯାଇ ନନ୍ଦନକାନନକୁ ଅଣାଯାଇଥିଲା । ସେତେବେଳେ ତାକୁ ୭ ବର୍ଷ ବୟସ ହୋଇଥିଲା ଓ ଏବେ ସେ ୧୨ ବର୍ଷର ଯୁବକ । ସେହିଭଳି ୨୦୧୭ ଅକ୍ଟୋବର ୩୧ରେ ମଣିଷମରା କୁଖ୍ୟାତି ବହନ କରିଥିବା ଅଣ୍ଡିରା କଲରାପତିରଆକୁ ସେହି ଖରିଆର ବନଖଣ୍ଡରୁ ଧରି ନନ୍ଦନକାନନକୁ ଅଣାଯାଇଥିଲା । ସେତେବେଳେ ତାକୁ ୮ ବର୍ଷ ବୟସ ହୋଇଥିଲା ଓ ଏବେ ସେ ୧୩ ବର୍ଷ ଭେଣ୍ଡିଆ । ଏବେ ନନ୍ଦନକାନନରେ ଥିବା ଅନ୍ୟ ୨ ଅଣ୍ଡିରାଙ୍କ ମଧ୍ୟରେ ପଞ୍ଜାବରୁ ଆସିଥିବା ମଙ୍ଗଲ୍‌ର ବନ୍ଧ୍ୟାକରଣ ହୋଇଛି । ସେହିଭଳି ବେଙ୍ଗାଲୁରରୁ ଆସିଥିବା ଅଣ୍ଡିରାଟି ବାର୍ଦ୍ଧକ୍ୟରେ ଉପନୀତ ହୋଇସାରିଛି ।