ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିଲା ବାଘ ଆତଙ୍କ । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ କଲା ଆକ୍ରମଣ, ଦେହରୁ କାମୁଡିନେଲା ପୁଳା ପୁଳା ମାଂସ ।

3,713

କନକ ବ୍ୟୁରୋ : ବାଘ ଝୁଣିନେଲା ମଣିଷ ମାଂସ । ଘଟଣାଟି ଘଟିଛି ସାତକୋଶିଆ ଅଭୟାରଣ୍ୟରେ । ଦୁଇ ଜଣ ବ୍ୟକ୍ତି ଛତୁ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ ଏକ କଲରାପତରିଆ ବାଘ ତାଙ୍କୁ ଆକ୍ରମଣ କରିଦେଲା । ଜଣେ ଗଛ ଉପରକୁ ଚଢି ଯାଇଥିଲେ । ଅନ୍ୟଜଣଙ୍କୁ ଆକ୍ରମଣ କରି ଝୁଣି ନେଇଥିଲା ମାଂସ । ତେବେ ସୌଭାଗ୍ୟ ବଶତଃ ବାଘଟି ତାଙ୍କୁ ଛାଡି ଦେଇଥିଲା ।

କିଛି ଏଭଳି ଢଙ୍ଗରେ ଅନୁଗୁଳି ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମାଡି ବସିଲା କଲରାପତରିଆ ବାଘ । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ ଅନ୍ତୁଳିଆ ଦଳବେହେରା ସାହିର ଚିତରଂଜନ ଦଳବେହେରା ଓ ତାଙ୍କ ବନ୍ଧୁ । ଛତୁ ତୋଳିବା ବେଳେ ଅଚାନକ ବୁଦା ଉହାଡରୁ ଲମ୍ଫ ମାରିଥିଲା ଜଙ୍ଗଲି ବାଘ । ସିଧା ଚିତରଂଜନଙ୍କ ଉପର ବାଘ ଝାମ୍ପି ପଡିବା ପରେ ସେ ଚିତ୍କାର କରି ତଳେ ପଡିଯାଇଥିଲେ ।

ସେପଟେ ବାଘକୁ ଦେଖି ପ୍ରାଣ ବିକଳରେ ଗଛ ଉପରେ ଚଢିଯାଇଥିଲେ ତାଙ୍କ ବନ୍ଧୁ । ଆଉ ତଳେ ଚିତରଂଜନଙ୍କୁ ମାଡିବସି ବାଘ ଖିନଭିନ୍ କରିବା ସହ ଦେହରୁ ପୁଳା ପୁଳା ମାଂସ କାମୁଡି ନେଇଥିଲା । ଦୁଇଜଣଙ୍କ ଜୀବନ ବିକଳ ଚିତ୍କାର ପରେ ଚାଲିଯାଇଥିଲା ଜଙ୍ଗଲି ବାଘ । ଚିତ୍କାର ଶୁଣି ଜଙ୍ଗଲରେ ଗାଁ ଲୋକେ ପହଂଚି ଆହତ ଚିତରଂଜନଙ୍କୁ ଉଦ୍ଧାର କରିଥିଲେ । ସେଠାରେ ବାଘର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ବାଘ ଆକ୍ରମଣରେ ଚିତରଂଜନଙ୍କ ମୁଣ୍ଡ, ଛାତି, ଓ ବାମ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ଚିତରଞ୍ଜନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ମଣିଷ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଯାହାପରେ ଏକ ଖୁଆଡରେ ବାଘୁଣୀକୁ ରଖିଛି ବନ ବିଭାଗ । ଏବେ ପୁଣି ସାତକୋଶିଆରେ କଲରାପତରିଆ ବାଘ ମାତିବା ଖବର ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିପକାଇଛି ।