କନକ ବ୍ୟୁରୋ : ରାଜଧାନୀରୁ ବାଘ ଛାଲ ରାକେଟ୍ । ଖଣ୍ଡଗିରି ଅଂଚଳରୁ ବାଘ ଛାଲକୁ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । କଲରାପତରିଆ ବାଘ ଛାଲକୁ ୩ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ହୋଇଥିଲା । ବାଘ ଛାଲ ବିକ୍ରି ଘଟଣାରେ ଜଣକୁ ଗିରଫ କରିଛି ଏସଟିଏଫ୍ ଟିମ୍ । ବାଘ ଟିକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବାଘଟିର ବୟସ ୫ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ପଛରେ କୌଣସି ରାକେଟ୍ କାମ କରୁଛି କି ନାହିଁ ଅଧିକ ପଚରାଉଚରା ଚଳାଇଛି କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ।
ବାଘଛାଲ ଜବତ ପରେ ଏସ୍ଟିଏଫ୍ ଖୋଳତାଡ଼ ଆରମ୍ଭ କରିଛି। ଏହି ବାଘଛାଲ କେଉଁଠୁ ଆସିଲା, କିଏ ଆଣିଲା, ଆଉ କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ସେନେଇ ଏସ୍ଟିଏଫ୍ ତଦନ୍ତ କରୁଛି । ଜବତ ହୋଇଥିବା ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ରେ ଥିବା ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ। ଧରାପଡ଼ିଥିବା ଅଭିଯୁକ୍ତ ଜଣକ ବେପାରୀ ନା ଶିକାରୀ ନା ଜଣେ ଏଜେଣ୍ଟ ସେ ନେଇ ତଦନ୍ତ ଚାଲିଛି ।