ବାଲିପାଟଣାରେ ବୁଲୁଛି ବାଘ ! ସାମ୍ନାକୁ ଆସିଲା ପାଦ ଚିହ୍ନ, ଆତଙ୍କିତ ଅବସ୍ଥାରେ ଲୋକେ

ନିମାପଡ଼ା ଓ ବାଲିପାଟଣା ସୀମାନ୍ତ ଅଞ୍ଚଳରେ ଏକ ବାଘ ବୁଲୁଛି

571

ନିମାପଡ଼ା ଓ ବାଲିପାଟଣା ସୀମାନ୍ତ ଅଞ୍ଚଳରେ ଏକ ବାଘ ବୁଲୁଛି। ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିବା ଓ ରାତିରେ ଜନୈକ ବ୍ୟକ୍ତିଙ୍କ ଗୁହାଳରେ ଗାଈ ବାଛୁରୀ ଆହତ ହେବା ଘଟଣା ଏହି ଖବରକୁ ନିଶ୍ଚିତ କରିଛି। ବନ ବିଭାଗ ପକ୍ଷରୁ ଉକ୍ତ ପାଦଚିହ୍ନ ସଂଗ୍ରହ କରାଯାଇଛି ଓ ପରୀକ୍ଷା ପରେ ପ୍ରକୃତ ସତ ଜଣାପଡ଼ିବ ବୋଲି ସୂଚନା ଦିଆଯାଇଛି। କିନ୍ତୁ ବନ ବିଭାଗର ଏହି ପଦକ୍ଷେପ ଲୋକଙ୍କୁ ଆଶ୍ୱସ୍ତ କରିପାରିନାହିଁ।

ଆଜି ସକାଳେ ନିମାପଡ଼ା ବ୍ଲକ ନିଆଁଗୋରଡ଼ା ଗାଁରେ ଲୋକେ ବାଘର ପାଦଚିହ୍ନ ଠାବ କରିଥିଲେ। ଗାଁର ମନୋରଞ୍ଜନ ପରିଡ଼ାଙ୍କ ଗୁହାଳ ପଛ ଜମିରେ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏଥିସହିତ ମନୋରଞ୍ଜନଙ୍କ ଗୁହାଳରେ ବନ୍ଧା ହୋଇଥିବା ୩ଟି ଗାଈ ଓ ଗୋଟିଏ ବାଛୁରୀ ଖଣ୍ଡିଆ ଖାବରା ହୋଇଥିବା ଜଣାପଡ଼ିଥିଲା। ତେଣୁ ବାଘ ଗାଈ ଓ ବାଛୁରୀକୁ ଆକ୍ରମଣ କରିଥିବା ସନ୍ଦେହ ହୋଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମବାସୀମାନଙ୍କ ସହ ମିଶି ସେମାନେ ଗାଁ ପାଖ ଜଙ୍ଗଲିଆ ଅଞ୍ଚଳ, ବଣବୁଦା ଓ ‌ତୋଟା ସବୁକୁ ତନ୍ନ ତନ୍ନ କରି ସେମାନେ ଖୋଜିଥିଲେ। ଲୋକେ ଠେଙ୍ଗାବାଡ଼ି ଧରି ବନ କର୍ମଚାରୀମାନଙ୍କୁ ସହଯୋଗ କରିଥିଲେ। କିନ୍ତୁ ବାଘର ଟେର୍ ମିଳିନଥିଲା। ବନ କର୍ମଚାରୀମାନେ ବାଘ ପାଦଚିହ୍ନକୁ ପ୍ଲାଷ୍ଟର୍‌ ଅଫ୍ ପାରିସ୍‌ ଦ୍ୱାରା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ତେବେ ଏହା ଏକ ବାଘର ପାଦ ଚିହ୍ନ କି ହେଟାର ବୋଲି ସ୍ପଷ୍ଟ ହୋଇନାହିଁ।

ବାଘ ବୁଲୁଛି ବୋଲି ଖବର ପ୍ରଚାରିତ ହେବା ପରେ ଆଜି ସଞ୍ଜ ନଉଁ ନଉଁ ବାଲିପାଟଣା ଓ ନିମାପଡ଼ା ସୀମାରେ ଲୋକେ ତାଟିକବାଟ ପକାଇ ରହିଛନ୍ତି। ବାହାରକୁ ଯାଇଥିବା ଲୋକେ ଏକାଠି ହୋ‌ଇ ଘରକୁ ଫେରୁଛନ୍ତି। କେହି ଏକୁଟିଆ ହୋଇ ବାହାରକୁ ବାହାରୁ ନାହାନ୍ତି। ଆଜି ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ଟର୍ଚ୍ଚ ଲାଇଟ୍‌ ଓ ମାରଣାସ୍ତ୍ର ଧରି ସଜାଗ ହୋଇ ରହିଛନ୍ତି ଓ ଫୋନ୍‌ ସାହାଯ୍ୟ‌ରେ ଯୋଗାଯୋଗରେ ଅଛନ୍ତି। କେଉଁଠି ବି ବାଘର ଉପସ୍ଥିତି ଜଣାପଡ଼ିଲେ, ମିଳିତଭାବେ ମୁକାବିଲା କରିବେ ବୋଲି ସୂଚନା ମିଳିଛି।