କନକ ବ୍ୟୁରୋ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ବାଘ ଠାବ ନେଇ ଆତଙ୍କ ଖେଳିଯାଇଛି। ଗତ ୧୬ ତାରିଖରୁ ଏହି ଆତଙ୍କ ଦେଖାଦେଇଛି। ବାଘ ଆକ୍ରମଣରେ ଜଣେ ବୃଦ୍ଧା ଆହତ ହେବାପରେ ୩ ଦିନ ପରେ ବାଘ ଆକ୍ରମଣରେ ଦୁଇଟି ଗାଈ ଆହତ ହୋଇଥିଲା । ଜଙ୍ଗଲରେ ବାଘ ଥିବା ନେଇ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ଏବେ ବାଘ ଗାଁ ମୁହାଁ ହେଇଥିବାରୁ ଗାଁ ଲୋକମାନେ ଭୟଭୀତ ଅଛନ୍ତି । ବିଳମ୍ବିତ ରାତିରେ ଘାଗରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କ ସିସି ଟିଭି କ୍ୟାମେରାରେ ବାଘ ଯାଉଥିବା ଫୁଟେଜରୁ ଜଣା ପଡ଼ିଛି ।
ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଜନ ସାଧାରଣ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବାବେଳେ ଜଙ୍ଗଲରେ ବାଘ ଥିବାରୁ ଏବେ ଚିନ୍ତାରେ ପଡିଛନ୍ତି । ଲୋକମାନେ ଜଂଗଲ ଭିତରକୁ ଯାଉ ନଥିବା ବେଳେ ଏବେ ବାଘ ଗାଁ ମୁହାଁ ହେଉଥିବାରୁ ଲୋକଙ୍କ ଭୟ ଦ୍ୱିଗୁଣିତ ହୋଇଛି । ଏ ସଂକ୍ରାନ୍ତରେ ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ କିଷାନ କହିଛନ୍ତି ସିସି ଟିଭି ଫୁଟେଜ ଯାଞ୍ଚ କଲାପରେ ଏହା ବାଘ କି ଅନ୍ୟ କୌଣସି ଜନ୍ତୁ ବୋଲି ସତ୍ୟତା ଜଣାପଡିବ। ଲୋକମାନେ ଭୟଭୀତ ନହେବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି ।