କନକ ବ୍ୟୁରୋ : କୋଟିଆ ସୀମାରେ ବୁଲୁଛି ଆନ୍ଧ୍ରରେ ଆତଙ୍କର କାରଣ ସାଜିଥିବା ମହାବଳ । କୋଟିଆ ଗ୍ରାମପୁଞ୍ଜ ପାଖାପାଖି ଚାଲି ଆସିଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର କାସପାଭାଲସା ବନ ବିଭାଗ ନିକଟ ଅଂଚଳ ଓ କୋଟିଆ ସୀମାରେ ଘଂଚ ଜଙ୍ଗଲରେ ବାଘର ଗତିବିଧି ଠାବ କରଯାଇଛି । ତେଣୁ କୋଟିଆ ଅଂଚଳରେ ପଶିବାର ସମ୍ଭାବନ ରହିଛି । ଏଥିପାଇଁ ଲୋକଙ୍କୁ ସର୍ତକ ରହିବାକୁ ଟ୍ୱିଟ କରି ସୂଚନା ଦେଲେ କୋରାପୁଟ ଜିଲ୍ଲାପାଳ ।
ଏଥିପାଇଁ ଉଭୟ ଆନ୍ଧ୍ର ଓ ଓଡ଼ିଶା ବନ ବିଭାଗ ସଜାଗ ରହିଛନ୍ତି । ୨ ଦିନ ତଳେ କାସପାବାଲସା ଠାରୁ ୭୫ କିଲୋମିଟର ଦୂରରେ ବାଘ ଖାଦ୍ୟ ସନ୍ଧାନରେ ରହିଥିଲା । ଏହି ଅଂଚଳରେ ଗାଈ ମାରି ଖାଇଥିବା ସୂଚନା ରହିଛି । ବାରମ୍ବାର ସ୍ଥାନ ପରିବର୍ତନ କରୁଥିବାରୁ କୋଟିଆ ସୀମାଠାରୁ ୩୫ କିଲୋମିଟର ଅଂଚଳରେ ରହୁଥିବା ଅନୁମାନ କରାଯାଉଛି । ଗୋଟିଏ ଦିନରେ ୬୦ରୁ ୭୦ କିଲୋମିଟର ଅଂଚଳ ଅତିକ୍ରମ କରୁଥିବା ଜଣାପଡ଼ିଛି । ଗୋଟିଏ ସ୍ଥାନରୁ ଆନ୍ଧ୍ର ବନବିଭାଗ ଅଧିକାରୀ ୧୨ ସେଂଟିମିଟର ବିିଶିଷ୍ଟ ବାଘର ପଂଝା ଚିହ୍ନ ଦେଖିଥିଲେ । ମହାବଳ ବାରମ୍ବାର ସ୍ଥାନ ପରିବର୍ତନ କରୁଥିବା ସୂଚନା ରହିଛି ।