ଭୁବନେଶ୍ୱର ଉପକଣ୍ଠରେ ବାଘ ଆତଙ୍କ ! ସୁନ୍ଦରପଦାର ଅରକୁଳରେ କଲରାପତରିଆକୁ ଦେଖି ଲୋକ ଭୟଭୀତ, ଖୋଜୁଛି ବନବିଭାଗ ।

53

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ବାଘ । ରାଜଧାନୀର ସୁନ୍ଦରପଦା ନିକଟରେ ଏକ ବାଘ ଦେଖିବାକୁ ମିଳିଛି । ତେବେ ଏହା ଏକ କଲରାପତରିଆ ବାଘ ହୋଇଥିବା ଅନୁମାନ କରାଯାଉଛି । ବନ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ସେଠାରେ ପହଂଚି ବାଘଟିକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି । ବନ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ଘଟଣାସ୍ଥଳରେ ବାଘର ପାଦଚିହ୍ନ ପାଇଛନ୍ତି । ବାଘର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ସଂପୃକ୍ତ ଅଂଚଳରେ ବାଘକୁ ଖୋଜିବାକୁ ଉଦ୍ୟମ ଜାରି ରହିଛି ।

ଆତଙ୍କ ବଢାଉଛି କଲରାପତରିଆ ବାଘ । ବାଘକୁ ଦେଖି ଲୋକେ ଛାନିଆ । ବାଘର କିଛି ଝଲକ ପାଇଥିବାରୁ ଛାତିରେ ଛନକା ପଶିଯାଇଛି । ଆଜି ରାତି କେମିତି କଟିବ ସେହି ଚିନ୍ତା ଘାରିଛି । ହଠାତ ଖବର ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାର ଅରକୁଳରେ ମାତିଛି କଲରାପତରିଆ ବାଘ । କିଛି ଲୋକ ବାଘକୁ ଦେଖି ଭୟଭୀତ ହୋଇଯାଇଥିଲେ । କେତେକ ମୋବାଇଲରେ ବାଘର ଭିଜୁଆଲ ମଧ୍ୟ ରେକର୍ଡ କରିଥିଲେ । ଆଉ ଘଟଣା ସ୍ଥଳରେ ପହଂଚିବା ବେଳକୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକେ ଘରୁ ବାହାରି ଆସି ବାଘକୁ ଖୋଜୁଥିଲେ । ସାଙ୍ଗରେ ସାମିଲ ହୋଇଥିଲେ ବନ ବିଭାଗର କର୍ମଚାରୀ ଓ ଅଧିକାରୀ । ଚନ୍ଦକା ବନାଂଚଳରୁ ଏହି କଲରାପତରିଆ ବାଘଟି ଜନବସତି ଆଡକୁ ଚାଲିଆସିଥିବା ଅନୁମାନ କରାଯାଉଛି ।

ଭୟଭୀତ ଅବସ୍ଥାରେ ଥିବା ସୁନ୍ଦରପଦା ଅଂଚଳର ବାସିନ୍ଦାଙ୍କ ଚିନ୍ତା ବଢିଯାଇଛି । କାହିଁକି ନା ଏତେ ଖୋଜାଖୋଜି ପରେ ବାଘର ସନ୍ଧାନ ମିଳିନାହିଁ । ତେବେ ବାଘର ପାଦ ଚିହ୍ନ ରହିଛି । ଯାହାକି ଲୋକମାନଙ୍କ ଆଶଙ୍କାକୁ ଆହୁରି ବଢାଇଦେଇଛି । ରାତିରେ ଯଦି ବାଘ ଗାଁ ମୁହାଁ ହୁଏ ତେବେ ପରିସ୍ଥିତି ଅସମ୍ଭାଳ ହୋଇପାରେ । ଏବେ ଠେଙ୍ଗାବାଡି ଧରି ବାଘକୁ ଧରିବାକୁ ପ୍ରୟାସ ଜାରି ରହିଛି । ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇଥିବା ଏହି କଲରାପତରିଆକୁ କେମିତି କାବୁ କରାଯିବ ସେନେଇ ଆରମ୍ଭ ହୋଇଯାଇଛି ତନାଘନା ।