କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡରେ ବାଘ ଗଣତି ଆରମ୍ଭ ହୋଇଛି । ଗଣତି ପାଇଁ ଫଗ୍ ଇମ୍ପ୍ରେସନ୍ ପେଡ଼୍ ପିଆଇପି ପ୍ରସ୍ତୁତ କରି ପାଦଚିହ୍ନ ସଂଗ୍ରହ ପାଇଁ ଯୋଜନା କରିିଛି ବନବିଭାଗ । ତାଲିମ ପ୍ରାପ୍ତ ବନକର୍ମଚାରୀମାନେ ବିଭି୍ନ୍ନ୍ ଉପକରଣ ଧରି ସକାଳ ୬ଟାରୁ ଜଙ୍ଗଲରେ ପଶିଛନ୍ତି । ଦିନ ୧୦ଟା ପର୍ଯ୍ୟନ୍ତ ଜଙ୍ଗଲରେ ବୁଲି ବାଘର ପାଦଚିହ୍ନ ସହ ମଳ, ନିଶ ଓ ରାମ୍ପୁଡ଼ା ଦାଗ ଚିହ୍ନଟ କରିବେ । ୫ଟି ରେଞ୍ଜର ୭୫ଟି ବିଟରେ ଆସନ୍ତା ୩୧ ତାରିଖ ଯାଏଁ ଗଣତି କାର୍ଯ୍ୟକ୍ରମ ହେବ ।

Advertisment

ବନବିଭାଗ୍ ତରଫରୁ ଫଗ୍ ମାର୍କ ସଂଗ୍ରହ ପାଇଁ ପିଆଇପି ପ୍ରସ୍ତୁତ କରାଯାଇଛି । ଜଳାଶୟ ଆଡ଼କୁ ଯାଇଥିବା ରାସ୍ତାରେ ସରୁବାଲି ପକାଯାଇ ଫଗ୍ ଇମ୍ପ୍ରେସନ୍ ପେଡ଼୍ ପିଆଇପି ତିଆରି କରାଯାଇଛି । ସେହି ରାସ୍ତାଦେଇ ବାଘ କିମ୍ବା ଅନ୍ୟ ଜଙ୍ଗଲି ଜନ୍ତୁ ଗଲେ ବାଲି ଉପରେ ପାଦ ଚିହ୍ନ ପଡ଼ିବ । ସେହି ପାଦ ଚିହ୍ନ ଉପରେ କାଚ ପକାଇ ପ୍ଳାଷ୍ଟର ଅଫ୍ ପ୍ୟାରିସରେ ଚିହ୍ନ ସଂଗ୍ରହ କରି ପରିକ୍ଷା ପାଇଁ ବନବିଭାଗକୁ ପଠାଯିବ ।

ଘୁମୁସର ଉତ୍ତର ବନଖଣ୍ଡରେ ବାଘ ଗଣତି ପରେ ଘୁମୁସର ଦକ୍ଷିଣ ବନଖଣ୍ଡରେ ଗଣତି ହେବ ବୋଲି ସୂଚନା ମିଳିଛି । ଏହି ଦୁଇ ବନଖଣ୍ଡରେ ବାଘ ଘୁରିବୁଲୁଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିଲା, କିନ୍ତୁ ବନବିଭାଗ ପାଖରେ ସଠିକ୍ ଖବର ନଥିଲା । କିଛି ମାସ ତଳେ ଉତର ଘୁମୁସର ମୁଜାଗଡ଼ ଜଙ୍ଗଲ ମୁଖ୍ୟ ରାସ୍ତାରେ ଗାଡ଼ି ଧକ୍କାରେ ଏକ ବାଘର ମୃତ୍ୟୁ ହେବାପରେ ବନଖଣ୍ଡରେ ବାଘ ଥିବା ସ୍ପଷ୍ଟ ହୋଇଥିଲା । ଆଉ ଏବେ ବନବିଭାଗ ତତ୍ପରତା ଦେଖାଇ ବାଘ ଗଣତି ପ୍ରକ୍ରିୟା ଆରମ୍ଭ କରିଛି ।