କନକ ବ୍ୟୁରୋ : ଶେଷରେ ଯନ୍ତାରେ ପଡିଲା କଲରାପତରିଆ । ରାଜଧାନୀରେ ଗତ ୨ଦିନ ଧରି ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିଛନ୍ତି ବନ କର୍ମଚାରୀ । ଗତକାଲି ବିଳମ୍ବିତ ରାତିରେ ବିମାନ ବନ୍ଦର କାର୍ଗୋଗେଟ ନିକଟରୁ ଯନ୍ତା ବସାଇ ବାଘକୁ ଧରିବାରେ ସଫଳ ହୋଇଛି ବନ ବିଭାଗ ।
୨ଦିନ ହେଲା ବନ ବିଭାଗ ପାଇଁ ମୁଣ୍ଡବିନ୍ଧା ପାଲଟିଥିଲା କଲରାପତରିଆ ବାଘ । ଥରେ ଅପରେସନ କରି ଫେଲ ମାରିବା ପରେ ଏବେ କେମିତି ଧରାପଡିବ କଲରା ପତରିଆ ସେନେଇ ଆରମ୍ଭ ହୋଇଯାଇଥିଲା ତନାଘନା । କଲରା ପତରିଆ ବାଘକୁ ଧରିବାପାଇଁ ଆରମ୍ଭ ହୋଇଥିଲା ନାଇଟ ଅପରେସନ । ରାତି ପ୍ରାୟ ୨ଟା । କିଛି ସମୟ ପୂର୍ବରୁ ଆରମ୍ଭ ହେଲା ବନବିଭାଗର ନାଇଟ ଅପରେସନ । ବିମାନ ବନ୍ଦରର କାର୍ଗୋଗେଟ ନିକଟରେ ଯନ୍ତା ବସାଇ ଜଗି ରହିଥିଲେ ବନ ବିଭାଗ କର୍ମଚାରୀ । ଯନ୍ତାରେ ଥିବା କୁକୁଡା ଖାଇବାକୁ ଆସି ରାତିରେ ଯନ୍ତାରେ ପଡିଯାଇଥିଲା ବାଘ । ବାଘକୁ ନିୟନ୍ତ୍ରଣରେ ରଖିବାପାଇଁ ଜନ୍ତା ଭିତରେ ଥିବା ବାଘକୁ ସଙ୍ଗେ ସଙ୍ଗେ ଟ୍ରାଙ୍କୁଲାଇଜ୍ କରିଥିଲା ବନବିଭାଗ । କାରଣ ଯନ୍ତାରେ ପଡିବା ପରେ ବାଘ ହିଂସ୍ର ହୋଇଯାଇଥାଏ । ଯନ୍ତା ଭିତରେ ଏଣେ ତେଣେ ଦୌଡି ଥାଏ । ତାର ଶରୀରରେ ଆଘାତ ପହଂଚିବାର ଆଶଙ୍କା ରହିଥିବାରୁ ହାଲୁକା ଡୋଜର ଆନାସଥେସିଆ ଦିଆଯାଇଥିଲା । ଜଙ୍ଗଲରେ ଛାଡିବା ପାଇଁ ବାଘକୁ ଆନାସଥେସିଆ ଦେଇଥିଲା ବନବିଭାଗ । କାଲି ରାତିରେ ଧରିବା ପରେ ଚନ୍ଦକା ଜଙ୍ଗଲରେ ବାଘକୁ ଛାଡି ଦିଆଯାଇଛି ।
Follow Us