ନୂଆପଡାରେ ପୁଣି ବାଘ ଆତଙ୍କ ! ଚରୁଥିବା ଗାଇକୁ ବାଘ ମାରିଦେଇଥିବା ହେଲା ଅଭିଯୋଗ

247

କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଏଥର ବାଘର ଶିକାର ହୋଇଛି ଧରମବନ୍ଧା ସରପଞ୍ଚ ଓମପ୍ରକାଶ କଲାରଙ୍କ ଗାଈ। ଗତ ୩ ତାରିଖ ଦିନ ଗାଈଟିକୁ ଦୁଇଟି କଲରାପତରିଆ ବାଘ ମାରି ଖାଇ ଦେଇଥିବା ସରପଞ୍ଚ ଶ୍ରୀ କଲାର ଧରମବନ୍ଧା ଥାନାରେ ଅଭିଯୋଗ କରିଛନ୍ତି। ପରେ ନୂଆପଡ଼ା ବନ ବିଭାଗ ଘଟଣାସ୍ଥଳରେ ୨ଟି ଆଇଆର କ୍ୟାମେରା ଲାଗାଯାଇଛି ବୋଲି ଧରମବନ୍ଧା ଫରେଷ୍ଟର ନୂଆରାମ ମାଝୀ କହିଛନ୍ତି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ରବିବାର ଦିନ ପୁନଉରାମ ରାଉତ ନାମକ ବ୍ୟକ୍ତି ଶ୍ରୀ କଲାରଙ୍କ ଗାଈଙ୍କୁ ଚରାଇବାକୁ ଅପରଜୋଙ୍କ ପ୍ରୋଜେକ୍ଟ ପାଖ ଜଙ୍ଗଲକୁ ନେଇଥିଲେ। ଅପରାହ୍ନ ୨ଟା ସମୟରେ ସୁନାବେଡ଼ା ଅଭୟାରଣ୍ୟ ଜଙ୍ଗଲ ପଟୁ ଦୁଇଟି କଳରାପତରିଆ ବାଘ ଆସି ଗାଈକୁ ମାରି ଜଙ୍ଗଲ ଭିତିରକୁ ନେଇ ଯାଇଥିବା ଶ୍ରୀ କଲାର କହିଛନ୍ତି।

image courtesy – pixabay.com

ଏହି ଖବର ଜାଣିବା ପରେ ସ୍ଥାନୀୟ ଫରେଷ୍ଟର ନୂଆରାମ ମାଝୀ ଓ ଫରେଷ୍ଟଗାର୍ଡ ଫେଣ୍ଟମ୍ କୁଲଦୀପ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଯେଉଁ ସ୍ଥାନରେ ବାଘ ଗାଈକୁ ଅଧା ଖାଇଥିଲା, ସେ ସ୍ଥାନରେ ବନ ବିଭାଗ ପକ୍ଷରୁ ୨ଟି ଆଇଆର କ୍ୟାମେରା ଲଗାଯାଇଛି।  ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ବାଘ ଆତଙ୍କ ବଢ଼ି ଚାଲିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ୨୦୧୭ ମସିହା ମେ ମାସରେ ଜିଲ୍ଲାର ହଳଦୀ ଗାଁରେ ବାଘ ପଶି ମା’ କୋଳରେ ଶୋଇଥିବା ୬ ବର୍ଷର ଛଗନ ପାଣ୍ଡେକୁ ଝାମ୍ପି ନେଇଥିଲା। ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଅଞ୍ଚଳରୁ ଦୁଇଟି ବାଘ ଧରାପଡ଼ିଥିଲେ। ସେଗୁଡ଼ିକୁ ନନ୍ଦନକାନନ ପଠାଯାଇଥିଲା। ଏହା ପରଠାରୁ ବିଭିନ୍ନ ସମୟରେ ଜିଲ୍ଲାରେ ବାଘ ଆତଙ୍କ ଲାଗି ରହିଛି। ଗତ ଅଗଷ୍ଟ ୬ ତାରିଖରେ ଆମାନେରା ପଞ୍ଚାୟତ କୁକୁଡ଼ାତାଲ ମୁଶୁରଙ୍ଗି ଜଙ୍ଗଲରେ ୨ଟି କଲରାପତରିଆ ଗତ ୨୧ତାରିଖ ଦିନ କୋମନା ବ୍ଲକ ଦେଓଦର୍ହା ଗାଁରେ ୨ଟି କଲରାପତରିଆ ବାଘ ତ୍ରିନାଥ ଦୀପଙ୍କ ଛେଳି ଗୁହାଳରେ ପଶି ୨ଟି ଛେଳି ମାରିଦେବା ସହ ଆଉ ଦୁଇଟି ଛେଳି ଉଠାଇ ନେଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୨୦ରୁ ଅଧିକ ଗୋରୁ ଓ ଛେଳି ବାଘ ଆକ୍ରମଣରେ ମୃତାହତ ହୋଇଥିବା ଅଭିଯୋଗ ହୋଇଛି।