ଆମେରିକା ବାଘ ଦେହରେ କରୋନା ଭୂତାଣୁ ପରେ ସତର୍କ ଭାରତ ସରକାର: ଚିଡିଆଖାନାରେ ପଶୁପକ୍ଷୀଙ୍କ ଉପରେ ୨୪ଘଂଟିଆ ନଜର ରଖିବାକୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ନିର୍ଦ୍ଦେଶ

1,140

କନକ ବ୍ୟୁରୋ: ଆମେରିକା ବାଘ ଦେହରେ କରୋନା ଭୂତାଣୁ ପରେ ସତର୍କ ଭାରତ ସରକାର । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଚିଡିଆଖାନାରେ ପଶୁପକ୍ଷୀଙ୍କ ଉପରେ ୨୪ଘଂଟିଆ ନଜର ରଖିବା ପାଇଁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସିସିଟିଭି ଦ୍ୱାରା ଚିଡିଆଖାନାର ପଶୁପକ୍ଷୀଙ୍କ ଉପରେ ୨୪ଘଂଟିଆ ନଜର ରଖାଯିବ । ତେବେ କୌଣସି ପଶୁପକ୍ଷୀ ଅସ୍ୱାଭାବିକ ବ୍ୟବହାର କଲେ ବା ଅସୁସ୍ଥ ଥିବା ସନ୍ଦେହ କରାଗଲେ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି । ଏହାସହ ବିଲେଇ, ନେଉଳ ଓ ମାଙ୍କଡ ଜାତୀୟ ଜନ୍ତୁଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ କୁହାଯାଇଛି ।

ତେବେ ଚିଡିଆଖାନାରେ ପଶୁକୁ ବି ସଂକ୍ରମିତ ହୋଇପାରେ ଏହି ଭୟାବହ କରୋନା ଭୂତାଣୁ । ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆ ଠାରେ କରୋନା ଭୂତାଣୁ ମିଳିଛି । ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ୱାଇଲ୍ଡ ଲାଇଫ କନଜରଭେସନ ସୋସାଇଟି ମୁତାବକ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା କେଉଁ ବ୍ୟକ୍ତିଙ୍କ ଠାରୁ ଏହି ଭୂତାଣୁ ୪ବର୍ଷୀୟ ବାଘୁଣୀ ନାଦିଆ ଦେହକୁ ଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ଆମେରିକାର ନ୍ୟାସନାଲ ଭେଟେନାରୀ ସର୍ଭିସେସ ଲାବ୍ରୋଟେରୀ ମୁତାବକ କୌଣସି ପଶୁଠାରେ ଏହି ଭୂତାଣୁ ମିଳିବା ଏହା ପ୍ରଥମ ଘଟଣା । ନାଦିଆ ସହ ପ୍ରାଣୀ ଉଦ୍ୟାନର ୩ଜଣ ବାଘ ଓ ୩ଟି ସିଂହର ଦେହ ଅସୁସ୍ଥ ହୋଇଥିଲା । ଏହାପରେ ନାଦିଆର ଟେଷ୍ଟ କରାଯିବା ପରେ ତାହା ପଜିଟିଭ ଥିବା ଜଣାପଡିଛି । ଅନ୍ୟ ୨ବାଘ ଓ ୩ସିଂହଙ୍କ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ପ୍ରାଣୀ ଉଦ୍ୟାନ ଅନୁଯାୟୀ ଏହି ଭୂତାଣୁରେ ଆକ୍ରାନ୍ତ ହେଲେ ମଧ୍ୟ ଚିଡିଆଖାନାର ଜନ୍ତୁ ଗୁଡିକ ଶୀଘ୍ର ଭୂତାଣୁ ମୁକ୍ତ ହୋଇଯିବାର ସମ୍ଭାବାନ ରହିଛି ।