କନକ ବ୍ୟୁରୋ: ସମ୍ବଲପୁରର ଡେବ୍ରିଗଡରେ ନେଚର କ୍ୟାମ୍ପ ନିକଟରେ ପୁଣିଥରେ ଦେଖିବାକୁ ମିଳିଛି ମହାବଳ ବାଘ । ଅଭୟାରଣ୍ୟ ଗେଟ ନିକଟରେ ବାଘକୁ ଅତି ନିକଟରୁ ଦେଖି କିଛି ଛତିଶଗଡ ପର୍ଯ୍ୟଟକ ଫଟୋ ଉଠାଇଛନ୍ତି । ଆଉ ପର୍ଯ୍ୟଟକ ଉଠାଇଥିବା ମହାବଳ ବାଘର ଫଟୋ ଓ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସେପଟେ ଡେବ୍ରିଗଡରେ ବାଘର ଉପସ୍ଥିତିକୁ ସ୍ୱୀକାର କରିଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାସ । କହିଛନ୍ତି, ଏବେ ବାଘର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ମହାବଳ ଉପରେ ୨୪ ଘଂଟିଆ ନଜର ରଖିଛନ୍ତି ବନବିଭାଗର ପାଟ୍ରୋଲିଂ ଟିମ୍ । ବାଘ କେଉଁଠି ରହୁଛି, କଣ କରୁଛି, ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି । ଆଉ ଏହାର ତଦାରଖ କରିବା ପାଇଁ ଖୋଦ ଡିଏଫଓ ଜଙ୍ଗଲକୁ ଯାଇଛନ୍ତି ।

Advertisment

ଡେବ୍ରିଗଡରେ ମହାବଳ ଉପସ୍ଥିତି ଖବର ସ୍ପଷ୍ଟ ହେବା ପରେ ବାଘର ସୁରକ୍ଷା ପାଇଁ ଅଂଟା ଭିଡିଛି ବନବିଭାଗ । ଏବେ ବିଭିନ୍ନ ବନାଞ୍ଚଳରେ ଶିକାରୀ ମାତିଥିବାରୁ ଜନ ସଚେତନତା ଜରିଆରେ ମହାବଳର ସୁରକ୍ଷା କଥା ଚିନ୍ତା କରୁଛି ବିଭାଗ । ଗାଁ ଗାଁରେ ଲୋକଙ୍କୁ ସିନେମା ଦେଖାଇ ସଚେତନ କରାଯାଉଛି । ମହାବଳ ଜଙ୍ଗଲର ଏକ ଅମୂଲ୍ୟ ସମ୍ପତି । ତେଣୁ ସେ ରହିବା ଦ୍ୱାରା ଅଭାୟାରଣ୍ୟର ସମୃଦ୍ଧି ହେବ ବୋଲି ଲୋକଙ୍କୁ ବୁଝାଉଛି ବନବିଭାଗ । ଯେଉଁ ମହିଳାମାନେ କାଠ, ବାଉଁଶ, ପାଣି ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ସିନେମା ବେଳେ ସେମାନଙ୍କ ଶତପ୍ରତିଶତ ଉପସ୍ଥିତି ଦେଖିବାକୁ ମିଳୁଛି ।

ଏହା ପୂର୍ବରୁ ୨୦୧୮ ମସିହାରେ ଡେବ୍ରିଗଡରେ ମହାବଳ ଦେଖା ଦେଇଥିଲା । ଏବେ ଚଳିତ ଡିସେମ୍ବର ପ୍ରଥମ ସପ୍ତାହରେ ମହାବଳ ପୁଣି ଦେଖା ଦେବାରୁ ବାଘର ସୁରକ୍ଷା ପାଇଁ ବନବିଭାଗ ଲାଗିପଡିଛି ।