ବିଜେପି ଓ କଂଗ୍ରେସର ବିଧାନସଭା ତାଲିକାରେ ବାପା, ପୁଅ, ଝିଅଙ୍କୁ ଟିକେଟ୍ । ପଢନ୍ତୁ, କେଉଁ ପରିବାରର କାହାକୁ ମିଳିଲା ଟିକେଟ୍?

1,105

କନକ ବ୍ୟୁରୋ: ରାଜନୀତିରେ ପରିବାରବାଦ । କଂଗ୍ରେସରେ ବାପାଙ୍କ ସହ ପୁଅ ଝିଅଙ୍କୁ ମିଳିଛି ଟିକେଟ୍ । ନବରଙ୍ଗପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀଙ୍କୁ ଡାବୁଗାଁ ବିଧାନସଭା ଆସନରେ ପ୍ରାର୍ଥୀ କରିଛି ଦଳ । ସେପଟେ ଭକ୍ତ ଦାସଙ୍କୁ ନର୍ଲା ଓ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ ।

  • ବାପା, ପୁଅ ଓ ଝିଅଙ୍କୁ ଟିକେଟ
  • ନୂଆପଡାରେ ହେବ ବଡ ଲଢେଇ

ବିଜେପି ଜାରି କରିଥିବା ୧୧୨ ବିଧାନସଭା ଆସନ ପ୍ରାର୍ଥୀ ତାଲିକା ମଧ୍ୟରୁ ୩ ପ୍ରମୁଖ ଆସନରେ ପରିବାରବାଦର ଛାପ ଦେଖିବାକୁ ମିଳିଛି । ବ୍ରହ୍ମଗିରି, ଧାମନଗର ଓ ନୂଆପଡା ବିଧାନସଭା ଆସନରେ ବରିଷ୍ଠ ନେତାଙ୍କ ଝିଅ ଓ ପୁଅ ଉପରେ ଭରସା କରିଛି ଦଳ । ଉପାସନା ମହାପାତ୍ର, ସୁରଜ ସୂର୍ଯ୍ୟବଂଶୀ ଓ ଅଭିନନ୍ଦନ ପଣ୍ଡାଙ୍କୁ ମିଳିଛି ବିଜେପି ଟିକେଟ ।

  • ବ୍ରହ୍ମଗିରି ଆସନରୁ ଲଢିବେ ଉପାସନା ମହାପାତ୍ର
  • ଉପାସନା ହେଉଛନ୍ତି ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ
  • ୨୦୧୯ରେ ଏଠାରୁ ଲୁଲୁଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର ବିଜେପି ଟିକେଟରେ ଜିତିଥିଲେ
  • ଧାମନଗରରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପୁଣି ଟକେଟ ମିଳିଛି
  • ୨୦୨୨ରେ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଉପନିର୍ବାଚନ ଜିତିଥିଲେ ସୁରଜ
  • ନୂଆପଡା ଆସନରୁ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଟିକେଟ
  • ପ୍ରଥମ ଥର ଲାଗି ନିର୍ବାଚନ ଲଢିବେ ଅଭିନନ୍ଦନ ପଣ୍ଡା

ନୂଆପଡାରେ ଏଥର ବଡ ଲଢେଇ ଦେଖିବାକୁ ମିଳିବ । ଅଭିନନ୍ଦନ ବିଜେପିର ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପିିସିସି ସଭାପତି ଶରତ ପଟ୍ଟନାୟକ ଓ ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି ।

  • କଂଗ୍ରେସରେ ବି ‘ପରିବାରବାଦ’ର ଛାପ
  • ନରସିଂହ ମିଶ୍ର ଓ ଭକ୍ତ ଦାସଙ୍କ ପୁଅଙ୍କୁ ଟିକେଟ

କଂଗ୍ରେସ ତାଲିକାରେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଦାସ ଓ ଭୁଜବଳ ମାଝିଙ୍କ ଝିଅ ଲିପିକା ମାଝିଙ୍କ ନାଁ ରହିଛି । ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ନରସିଂହ ମିଶ୍ରଙ୍କ ବଦଳରେ ସମରେନ୍ଦ୍ର ନିର୍ବାଚନ ଲଢିବେ । ସମରେନ୍ଦ୍ରଙ୍କ ମୁକାବିଲା ବିଜେଡିର କଳିକେଶ ସିଂହଦେଓ ଓ ବିଜେପିର ଗୋପାଳଜୀ ପାଣିଗ୍ରାହୀଙ୍କ ସହ ହେବ । ନର୍ଲାରେ ଭକ୍ତ ଦାସ ଲଢୁଥିବାବେଳେ ତାଙ୍କ ପୁଅ ସାଗର ଦାସଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ଟିକେଟ ମିଳିଛି । ସାଗର ଦାସ ୨୦୧୯ରେ କଳାହାଣ୍ଡି ଲୋକସଭା ଆସନରୁ ଲଢି ହାରିଯାଇଥିଲେ । ସେହିଭଳି ନବରଙ୍ଗପୁର ଲୋକସଭା ଆସନରୁ ଭୁଜବଳ ମାଝି କଂଗ୍ରେସ ଟିକେଟ ପାଇଥିବାବେଳେ ତାଙ୍କ ଝିଅ ଡକ୍ଟର ଲିପିକା ମାଝି ଡାବୁଗାଁ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଲିପିକା ବର୍ତ୍ତମାନ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି । ତେବେ ଆଗକୁ ବିଜେଡି, ବିଜେପି ଓ କଂଗ୍ରେସର ତାଲିକା ଆସିବ । ଆଉ ଏଥିରେ ବି ପରିବାରବାଦର ଛାପ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।