ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍ ୟୁନିଟର ହେବ ଉନ୍ମୋଚନ । ଜାଣନ୍ତୁ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂତ୍ତି ଦେଖିବାକୁ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ କେତେ ଟଙ୍କା

166

୩୧ ଅକ୍ଟୋବରରେ ପୂରା ଦେଶ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛି । କିନ୍ତୁ ଚଳିତଥର ପାଳିତ ହେବାକୁ ଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦେଶବାସୀଙ୍କ ପାଇଁ ଟିକିଏ ଖାସ । କାରଣ ଏହି ଦିନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟର ଅନାବରଣ କରିବେ । ଆଉ ଏହାସହ ଏହି ପ୍ରତିମୂର୍ତ୍ତିକୁ ଦେଶବାସୀଙ୍କ ପାଇଁ ସମର୍ପିତ କରିବେ । ଏନେଇ ଆଜି ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁ ସର୍ଦ୍ଦାର ପଟେଲ ଭୂମି ସହ ଜଡ଼ିତ ଥିଲେ, ଏବେ ଆକାଶର ମଧ୍ୟ ଶୋଭାବର୍ଦ୍ଧନ କରିବେ ।

ଷ୍ଟାଚ୍ୟୁ ଅଫ୍ ୟୁନିଟର ଅନାବରଣ ସହ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମାର ଏହା ମାନ୍ୟତା ଲାଭ କରିବ । ଯାହାର ଉଚ୍ଚତା ଚୀନର ସ୍ପ୍ରିଙ୍ଗ ବୁଦ୍ଧ ମୂର୍ତ୍ତି (୧୨୦ ମିଟର) ଓ ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟି (୯୦) ମିଟର ଠାରୁ ମଧ୍ୟ ଆହୁରି ଉଚ୍ଚ । ଗୁଜରାଟର ନର୍ମଦା ନଦୀ କୂଳରେ ସ୍ଥାପିତ ୧୮୨ ମିଟର ବିଶିଷ୍ଟ ଏହି ପ୍ରତିମାଟି ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତାର ଦୁଇଗୁଣରୁ ଅଧିକ । ଯାହାକୁ ଉଭୟ ଭାରତୀୟ ଓ ଚୀନ ଶ୍ରମିକ ମାନେ ମିଶି ନିର୍ମାଣ କରିଛନ୍ତି ।

୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ମୂତ୍ତିକୁ ଦେଖିବାକୁ ପୂରା ବିଶ୍ୱରୁ ଲୋକ ଆସିବେ । ଆଉ ଖାସ୍ ଏଥିପାଇଁ ଏହି ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଏସବୁକୁ ଲକ୍ଷ୍ୟ କରି ମୂର୍ତ୍ତି ଠାରୁ ୩ କିଲୋମିଟର ଦୂରରେ ଏକ ଟେଣ୍ଟ ସିଟି ନିମାଁଣ କରାଯାଇଛି । ଯେଉଁଠାରେ ପର୍ଯ୍ୟଟକ ମାନେ ରାତିରେ ରହିପାରିବେ ।

ଏହି ମୂର୍ତ୍ତିର ଚାରିପାଶ୍ୱର୍ରେ ଲେଜର ଲାଇଟ ଲାଗିଛି ଯାହା ଏହାର ଶୋଭାକୁ ଦ୍ୱିଗୁଣିତ କରୁଛି । ଏହାଛଡା ଏହି ମୂର୍ତ୍ତିର ନିମ୍ନ ପାଶ୍ୱର୍ରେ ଏକ ମ୍ୟୁଜିୟମ ରହିଛି । ମୂତ୍ତିରେ ଦୁଇଟି ଲିଫ୍ଟ ଲାଗିଛି । ଯାହ ମୂର୍ତ୍ତିର ଛାତି ପର୍ଯ୍ୟନ୍ତ ରହିଛି । ଯେଉଁଠାରେ ପର୍ଯ୍ୟଟକ ମାନେ ଗ୍ୟାଲେରୀ ଓ ବାହାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏହାଛଡା ଲିଫ୍ଟ ଉପରେ ରହି ପର୍ଯ୍ୟଟକ ସର୍ଦ୍ଦାର ସରୋବର ଡ୍ୟାମକୁ ସମ୍ପୂର୍ଣ୍ଣ ଭାବେ ଦେଖିପାରିବେ । ତେବେ ଏହି ମୂର୍ତ୍ତି ପାଖରେ ପହଞ୍ଚିବାକୁ ହେଲେ ପର୍ଯ୍ୟଟକଙ୍କୁ ଡଙ୍ଗାରେ ଯିବାକୁ ପଡିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଏଡି ମୂର୍ତ୍ତିକୁ ଦେଖିବାକୁ ପର୍ଯ୍ୟଟକଙ୍କୁ ୩୦୦ ଟଙ୍କା ଲେଖାଏଁ ଫିସ୍ ବାବଦକୁ ଦେବାକୁ ପଡିବ ।

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଷ୍ଟାଚ୍ୟୁ ଅଫ୍ ୟୁନିଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରତିମାର ନିର୍ମାଣ ପାଇଁ ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏହି ମୂର୍ତ୍ତିଟି ୪ ପ୍ରକାର ଧାତୁରେ ନିର୍ମାଣ ହୋଇଛି ଯାହାଫଳରେ ଏଥିରେ କଳଙ୍କି ଲାଗିବ ନାହିଁ ।