ବିଜେଡିର ମାଷ୍ଟର ପ୍ଲାନ: ସ୍ୱାମୀଙ୍କ ବଦଳରେ ସ୍ତ୍ରୀ, ବାପା ବଦଳରେ ପୁଅଙ୍କୁ ଟିକେଟ

2,075

କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ଲିଷ୍ଟରେ ୨୭ ବିଧାନସଭା ଓ ୫ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଏହି ପ୍ରାର୍ଥୀ ଘୋଷଣା ସହ ବଡ ମାଷ୍ଟର ପ୍ଲାନ ଖେଳିଛି ବିଜେଡି । ଦଳ ଅନେକ ସ୍ଥାନରେ ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀ ଓ ବାପା ବଦଳରେ ପୁଅଙ୍କୁ ଦେଇଛି ଟିକେଟ । ତେବେ ଏହି ପ୍ଲାନ ବିଜେଡିକୁ କେତେ ସଫଳ କରାଇବ ତାହା ଦେଖିବା ବାକି ରହିଲା –

କେଉଁଠୁ କାହାକୁ ମିଳିଛି ଟିକେଟ
ସ୍ୱାମୀ-ସ୍ତ୍ରୀ
ମୋରଡା
ରାଜକିଶୋର ଦାସ – ପ୍ରିତିନନ୍ଦା କାନୁନଗୋ
ବଡସାହି
ଗଣେଶ୍ୱର ପାତ୍ର – ଅନସୂୟା ପାତ୍ର

ବାପା-ପୁଅ
ମାହାଙ୍ଗା
ପ୍ରତାପ ଜେନା – ଅଙ୍କିତ ପ୍ରତାପ ଜେନା
ପାରଳାଖେମୁଣ୍ଡି
ତିରୁପତି ପାଣିଗ୍ରାହୀ – ରୂପେଶ ପାଣିଗ୍ରାହୀ
ରାଜଗାଙ୍ଗପୁର
ମଙ୍ଗଳା କିଷାନ – ଅନୀଲ ବରୱା

ମୋରଡା ନିର୍ବାଚନ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ରାଜକିଶୋର ଦାସଙ୍କ ସ୍ଥାନରେ ଏଥର ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି ଦଳ । ରାଜକିଶୋର ୨୦୦୯ ଓ ୨୦୧୪ରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ଏହାପରେ ୨୦୧୯ରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିଲେ । ସେହିପରି ବଡସାହି ନିର୍ବାଚନ ମଣ୍ଡଳୀରୁ ଗଣେଶ୍ୱର ପାତ୍ର ୨୦୦୯ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ । ଏହାପରେ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଆଉ ସେହି ବର୍ଷ ବିଜେପି ବିଜୟୀ ହୋଇଥିଲା । ତେବେ ଏଥର ବିଜେଡି ନିଜ ଗଡକୁ ଫେରିବା ପାଇଁ ବଡସାହିରେ ଗଣେଶ୍ୱରଙ୍କ ପତ୍ନୀ ଅନସୂୟାଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି ।

ସେପଟେ କିଛି ସ୍ଥାନରେ ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ ଦେଇ ନୂଆ ଚାଲ ଖେଳିଛି ବିଜେଡି । ମାହାଙ୍ଗାର ବଡେ ନେତା ତଥା ବିଧାୟକ ପ୍ରତାପ ଜେନାଙ୍କୁ ଏଥର ଟିକେଟ ଦେଇନି ଦଳ । ପ୍ରତାପ ଜେନା ୨୦୧୪ରୁ ମାହାଙ୍ଗାରୁ ବିଧାୟକ ରହିଆସିଛନ୍ତି । ହେଲେ ବିବାଦ କାରଣରୁ ଏଥର ଦଳ ତାଙ୍କୁ ଟିକେଟ ନଦେଇ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି ବିଜେଡି । ସେହିପରି ପାରଳାଖେମୁଣ୍ଡିରେ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି ବିଜେଡି । ତିରୁପତି ପାଣିଗ୍ରାହୀ ୨୦୧୯ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ହେଲେ ଦଳ ତାଙ୍କ ପୁଅକୁ ଏଥର ଟିକେଟ ଦେଇଛି । ସେହିପରି ରାଜଗାଙ୍ଗପୁରରେ ମଙ୍ଗଳା କିଷାନଙ୍କ ପୁଅ ଅନୀଲ ବରୱାଙ୍କୁ ଟିକେଟ ଦେଇଛି ଦଳ । ୨୦୧୪ରେ ବିଜେଡିରୁ ମଙ୍ଗଳା କିଷନ ବିଜୟୀ ହୋଇ ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କଂଗ୍ରେସ ରାଜଗାଙ୍ଗପୁରରେ ବିଜେୟୀ ହୋଇଥିଲା । ଆଉ ଏଥର ନିଜ ଗଡକୁ ଫେରିବାକୁ ଦଳ ମଙ୍ଗଳା କିଷନଙ୍କ ସ୍ଥାନରେ ତାଙ୍କ ପୁଅ ଅନୀଲ ବରୱାଙ୍କୁ ଟିକେଟ ଦେଇଛି ।