ସେପଟେ ପ୍ରଚାର, ଏପଟେ କଟିଲା ଟିକେଟ । ତଲସରାରେ ପ୍ରବୋଧ ତିର୍କୀଙ୍କୁ ବଦଳରେ ଦେବେନ୍ଦ୍ର ଭିତ୍ରିଆଙ୍କୁ ଟିକେଟ । ବିଜେଡିରୁ ଆସି ଟିକେଟ ନେଲେ ୪ ନେତା ।

4,535

କନକ ବ୍ୟୁରୋ: କଂଗ୍ରେସର ୩ ଜଣ ବିଧାୟକ ପ୍ରାର୍ଥୀଙ୍କ ଟିକେଟ୍ ବଦଳିଛି । ପୂର୍ବରୁ କଂଗ୍ରେସ ଟିକେଟ୍ ମିଳିଥିବା ତଳସରା, ବାଲିଗୁଡ଼ା ଏବଂ କବିସୂର୍ଯ୍ୟନଗର ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ତଳସରା ଆସନରେ ପୂର୍ବରୁ ଟିକେଟ୍ ମିଳିଥିବା ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତ୍ରିଆଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ସେହିପରି ବାଲିଗୁଡ଼ା ଆସନରେ ସୁରଦ ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଟିକେଟ୍ ଦେଇଛି । କବିସୂର୍ଯ୍ୟନଗର ଆସନରେ ମଧ୍ୟ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ପୂର୍ବରୁ ଚିରଂଜୀବୀ ବିଶୋଇଙ୍କୁ ଟିକେଟ ଦେଇଥିଲା ଦଳ । ଏବେ ତାଙ୍କ ସ୍ଥାନରେ ବିପିନ ବିହାରି ସ୍ୱାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

ସେହିପରି ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିବା ୪ଜଣ ନେତାଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ । କେନ୍ଦୁଝର ପାଟଣା ପାଇଁ କଂଗ୍ରେସ ପୂର୍ବତନ ବିଜେଡି ବିଧାୟକ ହୃଷିକେଶ ନାୟକଙ୍କ ପ୍ରାର୍ଥୀ ଘୋଷଣା କରିଛି । ୧୯୮୦ ମସିହାରୁ ଥରେ ବିଜେପି, ଦୁଇ ଦୁଇ ଥର କଂଗ୍ରେସ ଓ ବିଜେଡିରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ହୃଷିକେଶ । ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିବା ବେଳେ କଂଗ୍ରେସରେ ଯୋଗଦେଇ ହୃଷିକେଶ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ।

ସେହିପରି ଚମ୍ପୁଆ ଆସନରୁ ଯଶୋବନ୍ତ ଲାଗୁରୀଙ୍କୁ ପ୍ରାର୍ଥୀ କରିଛି ଦଳ । ୨୦୦୯ ମସିହାରେ ଯଶୋବନ୍ତ ବିଜେଡି ଟିକେଟ ପାଇ ସାଂସଦ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ତାଙ୍କ ପତ୍ନୀ ମଧ୍ୟ ବିଜେଡି ଟିକେଟରେ ସାଂସଦ ହୋଇଥିଲେ । ତେବେ ବିଜେଡି ୨୦୧୯ରେ ପତି, ପତ୍ନୀଙ୍କ ମଧ୍ୟରୁ କାହାକୁ ଟିକେଟ ଦେଇନଥିବା ବେଳେ ଏଥର ଯଶୋବନ୍ତ କଂଗ୍ରେସରୁ ଟିକେଟ ପାଇଛନ୍ତି । ସେହିପରି କିଛି ଦିନ ତଳେ ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଥିବା ସୁଦର୍ଶନ ଜେନାଙ୍କୁ ରେମୁଣାରୁ ଏବଂ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କୁ ଭଦ୍ରକ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।