ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ଼ । ବାୟୋଡାଟା ଧରି ଟିକେଟ ପାଇଁ ଲବି କଲେ ଆଶାୟୀ, ଅଧିକ ସଂଖ୍ୟାରେ ପହଁଚିଲେ ମହିଳା

1,269

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ଏବେଠାରୁ ନବୀନ ନିବାସରେ ଲାଗିଲାଣି ଗହଳି । ରାଜ୍ୟର ବିଭିନ ନିର୍ବାଚନମଣ୍ଡଳୀରୁ ମାଳ ମାଳ ଆଶାୟୀ ବାୟୋଡାଟା ଧରି ନବୀନ ନିବାସରେ ଗହଳି କଲେଣି । ନବୀନ ନିବାସ ଆସୁଥିବା ଆଶାୟୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା । ଏବେ ଆସନ୍ତୁ ନଜର ପକାଇବା ଆଜି ଆସିଥିବା କିଛି ପ୍ରମୁଖ ଆଶାୟୀଙ୍କ ଉପରେ ।

ଜ୍ୟୋତି ପାଣିଗ୍ରାହୀ, ପୂର୍ବତନ ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ
ଜ୍ୟୋତି ବଲାଙ୍ଗିର ସଦର ଆସନରୁ ବିଧାନସଭା ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମହିଳାଙ୍କୁ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାରୁ ଏଥର ନିର୍ବାଚନରେ ମହିଳାଙ୍କୁ ଅଧିକ ଟିକେଟ ଦେବେ ବୋଲି ଆଶା ରଖିଛନ୍ତି ।
ଅଶୋକ ପାଙ୍ଗି, ପୂର୍ବତନ ମନ୍ତ୍ରୀ, ଜୟରାମ ପାଙ୍ଗୀଙ୍କ ପୁଅ
ଅଶୋକ ପାଙ୍ଗି ପଟାଙ୍ଗୀ ଆସନରୁ ଲଢିବାକୁ ଇଚ୍ଛା ପ୍ରକାଶ କରି ନବୀନ ନିବାସରେ ବାୟୋଡଟା ଦେଇଛନ୍ତି ।

ସେହିଭଳି ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟା ସୁନନ୍ଦା ପତି, ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶାନ୍ତ ମିଶ୍ର ବି ବରୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରି ଆବେଦନ କରିଛନ୍ତି । ଜଗତସିଂହପୁରର ବାଲିକୁଦା ଏରସମା ବିଧାନସଭା ଆସନ ପାଇଁ ନବୀନ ନିବାସରେ ବାୟୋଡାଟା ଦେଇଛନ୍ତି ଶୈଳବାଳା ରାଉତ ।

ନବୀନ ନିବାସ ଆସୁଥିବା ଅଧିକାଂଶ ଆଶାୟୀଙ୍କ ନଜର ହେଉଛି ବିଧାନସଭା ଆସନ ଉପରେ । ଭୋଟ ପାଇଁ ସମୟ ଯେତେ ପାଖେଇ ଆସୁଛି ଆଶାୟୀ ବି ନବୀନ ନିବାସ ମୁହାଁ ହୋଇଛନ୍ତି । ଆଗକୁ ଏ ସଂଖ୍ୟା ବଢିପାରେ । ସମସ୍ତଙ୍କ ଅପେକ୍ଷା କାହାମୁଣ୍ଡରେ ସୁନାକଳସ ଢାଳିବେ ନବୀନ?