କନକ ବ୍ୟୁରୋ : ଦେଶର ୨୫ ପ୍ରତିଶତ ଲୋକଙ୍କ ନିକଟରେ ସୃଷ୍ଟି ହୋଇଛି ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି । ଅର୍ଥାତ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ କରୋନା ବିରୋଧରେ ଲଢ଼େଇ ପାଇଁ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଦେଶର ବିଭିନ୍ନ ସହରରେ ୨ ଲକ୍ଷ ନମୁନା ସଂଗ୍ରହ କରି ସେରୋ ସର୍ଭେ କରିଥିବା ଘରୋଇ ଲାବରୋଟୋରୀ ଥାଇରୋକେୟାର ଏଭଳି ରିପୋର୍ଟ ପ୍ରକାଶ କରିଛି ।
ଦେଶର ବିଭିନ୍ନ ବଡ ବଡ ସହରରେ ଘରୋଇ ଲାବରୋଟୋରୀ - ଥାଇରୋ କେୟାର କରିଛି କରୋନା ନେଇ ସର୍ଭେ । ଏଥିରେ ସାମିଲ ହୋଇଥିଲେ ଦେଶର ଟିଆଇଏଫଆର ଓ ଆଇସର ପରି ଅନୁଷ୍ଠାନ । ତେବେ ଏଥିରେ ଆସିଥିବା ଫଳାଫଳ ବେଶ୍ ଉତ୍ସାହଜନକ ବୋଲି କୁହାଯାଉଛି । ତଥ୍ୟ ଅନୁସାରେ – ଦେଶର ପ୍ରାୟ ୨୪ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ଆଂଟିବଡି ଠାବ ହୋଇଛି । ମୁମ୍ବାଇର ୨୭ ପ୍ରତିଶତ ଲୋକ କରୋନା ସଂସ୍ପର୍ଶରେ ଆସିଲେଣି । ପୁଣେର କେତେକ ସ୍ଥାନରେ ୫୧.୫ ପ୍ରତିଶତ ଲୋକଙ୍କ ପାଖରେ ଆଂଟିବଡି ମିଳିଛି । ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ସେରୋ ସର୍ଭେରେ ୨୩ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡି ମିଳିଥିଲା ।
ବିଶେଷଜ୍ଞଙ୍କ ମତରେ ଭାରତୀୟଙ୍କ ପାଖରେ ରୋଗ ପ୍ରତିରୋଧ ଶକ୍ତି ଅନ୍ୟମାନଙ୍କଠାରୁ ଅଧିକ । ତେବେ ଏବେ ଦେଖାଯାଉଥିବା ଆଣ୍ଟିବଡି ବର୍ତମାନ ପରିସ୍ଥିତିରେ ସୃଷ୍ଟି ହୋଇଛି ନା ଅତୀତର ସଂକ୍ରମଣରୁ ସୃଷ୍ଟି, ସେନେଇ ଅଧିକ ଗବେଷଣା ଆବଶ୍ୟକ । ଗବେଷଣା ଅନୁସାରେ ସେରୋ ସର୍ଭେରେ ୩୫ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡି ମିଳିବା ବେଳକୁ କରୋନା ଗ୍ରାଫ ସ୍ଥିର ରହିବ ଏବଂ ୪୫ ପ୍ରତିଶତ ଲୋକଙ୍କ ପାଖରେ ଏହି ରୋଗପ୍ରତିରୋଧ ଶକ୍ତି ସୃଷ୍ଟି ହେଲେ ଗ୍ରାଫ୍ ଧିରେ ଧିରେ ତଳମୁହାଁ ହେବା ଆରମ୍ଭ କରିବ । ଯେତେବେଳେ ୪୫ରୁ ୫୦ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡି ସୃଷ୍ଟି ହେବ, ସେତେବେଳେ କରୋନା ଆଉ ବିଶେଷ ପ୍ରଭାବ ଦେଖାଇ ପାରିବ ନାହିଁ ।
ଏବେ ବି ଦେଶରେ ଗୋଷ୍ଠୀ ରୋଗ ପ୍ରତିରୋଧ ବା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇ ନାହିଁ । କାରଣ ଏବେ ବି ୬୦ରୁ ୭୦ ପ୍ରତିଶତ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇ ନାହାନ୍ତି । ତଥାପି କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥିବା ନେଇ ବିଶେଷଜ୍ଞ ମତ ଦେଇଛନ୍ତି । ବିଶିଷ୍ଟ ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଗିରିଧର ବାବୁଙ୍କ ମତରେ ଦେଶରେ ପ୍ରଥମେ ଟାୟର-୧ ସହରରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବ । ଏହା ପରେ ହିଁ ଟାୟର-୨ ଓ ଟାୟର-୩ ସହରରେ ଏହି ଶକ୍ତି ବୃଦ୍ଧି ପାଇବ ବୋଲି ସେ ଆକଳନ କରିଛନ୍ତି ।