ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

829

କନକ ବ୍ୟୁରୋ : ରାଜ୍ୟରେ ଅସହ୍ୟ ଗରମ ଲାଗି ରହିଥିବା ବେଳେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ମୁତାବକ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଗଜପତି, ‌କନ୍ଧମାଳ ଓ ରାୟଗଡ଼ା ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି।

ସେହିପରି ୨୯ରୁ ୩୦ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହିତ ୩୦ରୁ ମଇ ୧ ତାରିଖ ମଧ୍ୟରେ ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, କେନ୍ଦ୍ରାପଡ଼ା, ଖୋର୍ଧା, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବି କାଳବୈଶାଖୀ ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ମଇ ୧ରୁ ୩ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।