ରାଜ୍ୟରେ ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା : କମିବ ତାପମାତ୍ରା, ୧୪ରୁ ପୁଣି ଫେରିବ ଥଣ୍ଡା

282

କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ । ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ତେବେ ୧୪ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ଅଧିକାଂଶ ସହରର ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଟ୍ରପ୍‌ ଲାଇନ୍ ସୃଷ୍ଟି ହୋଇଛି । ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ରେକର୍ଡ କରାଯାଇଛି ।