ଓଡ଼ିଶାରେ ସବୁଠୁ ଅଧିକ ବଜ୍ରପାତ । ୪ ମାସରେ ୯ ଲକ୍ଷ ଥର ବିଜୁଳି ମାଡ଼ ଖାଇ ବଜ୍ରପାତର ରାଜ୍ୟ ପାଲଟିଛି ଓଡ଼ିଶା ।

539

କନକ ବ୍ୟୁରୋ: ଓଡ଼ିଶା ପାଲଟି ଯାଇଛି ବଜ୍ରପାତର ରାଜ୍ୟ । ଏହିଭଳି ସାଂଘାତିକ ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ରିପୋର୍ଟ କହୁଛି, ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ୯ ଲକ୍ଷ ଥର ବିଜୁଳି ମାରିଛି । ଆଉ ଏଥିରେ ୧୨୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବାତ୍ୟା ଫନି ସମୟରେ ଅର୍ଥାତ ମାତ୍ର ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଥର ବଜ୍ରପାତ ହୋଇଛି । ଅବଶ୍ୟ ଏହି ସମୟରେ ଲୋକ ଘର ଭିତରେ ଥିବାରୁ କାହାରି ମୃତ୍ୟୁ ହୋଇନାହିଁ । ତେବେ ଉତରପ୍ରଦେଶରେ ୬ ଲକ୍ଷ ୨୦ ହଜାର ଥର ବଜ୍ରପାତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୨୨୪ ରହିଛି ।

ଏପରି ଏକ ସାଂଘାତିକ ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ । ପ୍ରଥମ ଥର ପାଇଁ ବିଜୁଳି ମାଡ଼ର ତଥ୍ୟ ଦେଇଛି ଆଇଏମଡି । ଏପ୍ରିଲ ୧ ତାରିଖରୁ ଜୁଲାଇ ୩୧ ମଧ୍ୟରେ ୯ ଲକ୍ଷ ଥର ବିଜୁଳି ମାରିଛି । ତେବେ ଏହି ବିଜୁଳି ମାଡରେ ମୃତାହତଙ୍କ ତାଲିକାରେ ପଛରେ ରହିଛି ଓଡ଼ିଶା ।

thunderstormଓଡ଼ିଶାରେ ୯ ଲକ୍ଷ ବଜ୍ରପାତ ହୋଇଥିବା ବେଳେ ବଜ୍ରାଘାତରେ ୧୨୯ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶରେ ୬ ଲକ୍ଷ ୨୦ ହଜାର ବଜ୍ରପାତ ହୋଇଛି, ହେଲେ ମୃତ୍ୟୁସଂଖ୍ୟା ରହିଛି ୨୨୪ । ବିହାରରେ ୧୭୦ ଲୋକ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ଓଡ଼ିଶାରେ ବଜ୍ରଘାତରେ ମୃତ୍ୟୁ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି । ବଜ୍ରପାତ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଉଥିବାରୁ ମୃତ୍ୟୁ ସଂଖା ହ୍ରାସ ପାଉଥିବା କୁହାଯାଉଛି ।

କାହିଁକି ଓଡ଼ିଶାରେ ହେଉଛି ଅଧିକ ବଜ୍ରପାତ?

– ମୌସୁମୀ ସମୟରେ ଜଳୀୟବାଷ୍ପ ଅଧିକ ରହୁଛି
– ଲଗାଣ ବର୍ଷା ନହୋଇ ଅସରା ଅସରା ବର୍ଷା ଯୋଗୁଁ ବଜ୍ରପାତ ଅଧିକ ହେଉଛି
– ବର୍ଷା ଦିନେ ବର୍ଷା ନହେବା ମଧ୍ୟ ଅଧିକ ବଜ୍ରପାତର କାରଣ ପାଲଟୁଛି
– ମୌସୁମୀ ସମୟରେ କମ୍ ଉଚ୍ଚତାରେ ବାଦଲ ରହୁଥିବାରୁ ମାଟିରେ ବିଜୁଳି ମାଡ଼ ହେଉଛି
– ଚାଷ ଜମିରେ କାମ କରୁଥିବା ଲୋକଙ୍କ ମୃତ୍ୟୁ ଅଧିକ ହେଉଛି, କାରଣ ବଡ଼ ବଡ଼ ଗଛ ନାହିଁ
ବଜ୍ରପାତର ଅନେକ କାରଣ ରହିଛି । ତେବେ ବାଦଲ ସହ ବାଦଲ କିମ୍ବା ଭୂପୃଷ୍ଠ ସହ ବାଦଲ ମାଡ଼ ହୋଇ ଯେଉଁ ବଜ୍ରପାତ ହୋଇଥାଏ, ତାହା ଅଧିକ ଘାତକ ହୋଇଥାଏ । ସତର୍କ ସୂଚନା ପାଇବା ମାତ୍ରେ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ବହୁତ ଜରୁରୀ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।